ଭୁବନେଶ୍ବର: ମଧ୍ୟରାତ୍ରିରେ ଏକ ଘରୋଇ ଯାତ୍ରୀବାହୀ ବସ୍ ହୁତୁହୁତୁ ହୋଇ ଜଳି ଯାଇଛି। ତେବେ ଏହି ବଡ଼ ଧରଣର ଅଗ୍ନିକାଣ୍ଡରୁ ପ୍ରାୟ ୬୦ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ଅନୁଗୁଳ ଜିଲ୍ଲା ଖମାର ଥାନା ଅଧିନ ବାରକୋଟିଆ ଗାଁ ନିକଟରେ ଶନିବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ରାଉରକେଲାରୁ ଏକ ଘରୋଇ ଯାତ୍ରୀବାହୀ ବସ୍ ‘ଶ୍ରୀମା’ ପାରାଦୀପ ଅଭିମୁଖେ ବାହାରିଥିଲା। ରାତି ୧ଟା ବେଳେ ପାଲଲହଡ଼ା ଅଞ୍ଚଳର ବାରକୋଟିଆ ନିକଟରେ ବସ୍ରେ ନିଆଁଲାଗି ଯାଇଥିଲା। ବସ୍ରେ ହଠାତ ନିଆଁ ଲାଗିଯିବାରୁ ଚାଳକ ଉପସ୍ଥିତ ବୁଦ୍ଧି ଲଗାଇଥିଲେ। ସେ ବସ୍କୁ ଅଟକାଇ, ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇବାକୁ ପରାମର୍ଶ ଦେଇଥିଲେ। ନିମିଷକ ମଧ୍ୟରେ ବସ୍ ହୁତୁହୁତୁ ହୋଇ ଜଳିଯାଇଥିଲା।
ସୂଚନା ପାଇ ପାଲଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହା ପୂର୍ବରୁ ବସ୍ଟି ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରିଛି। ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ନିଜ ଫଟୋ ସହିତ ନୂତନ ଆମେରିକୀୟ ପାସପୋର୍ଟ ଜାରି କଲେ ଟ୍ରମ୍ପ