ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ଓ ବଡ଼ ଧରଣର ଅଦଲବଦଳ ଖୁବ୍ଶୀଘ୍ର ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରୁ ଫେରିବା ପରେ ହିଁ ଏହି ନୂଆ କ୍ୟାବିନେଟ୍ ଗଠନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। ଏହି ଆଗାମୀ କ୍ୟାବିନେଟ୍ରେ କେତେକ ବଡ଼ ଚେହେରାଙ୍କ ମନ୍ତ୍ରୀ ପଦ ଯାଇପାରେ ଏବଂ ଆଉ କେତେକ ବରିଷ୍ଠ ନେତାଙ୍କ ମନ୍ତ୍ରାଳୟରେ ବଡ଼ ପରିବର୍ତ୍ତନ କରାଯାଇପାରେ।
ବଦଳିବ ନିର୍ମଳା ସୀତାରମଣଙ୍କ ମନ୍ତ୍ରାଳୟ?
ଗତ ୭ ବର୍ଷ ଧରି ଦେଶର ଅର୍ଥ ମନ୍ତ୍ରାଳୟ ସମ୍ଭାଳୁଥିବା ନିର୍ମଳା ସୀତାରମଣଙ୍କୁ ଏଥର ନୂଆ ଦାୟିତ୍ଵ ମିଳିପାରେ। ତାଙ୍କ ନେତୃତ୍ୱରେ ଆୟକର ସୀମା ବାର୍ଷିକ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ପରେ ସେ ବେଶ୍ ପ୍ରଶଂସିତ ହୋଇଥିଲେ। ତେବେ ଚର୍ଚ୍ଚା ହେଉଛି ଯେ, ତାଙ୍କୁ ଅର୍ଥ ମନ୍ତ୍ରାଳୟରୁ ହଟାଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଦାୟିତ୍ଵ ଦିଆଯାଇପାରେ। ଏହାଛଡ଼ା ନିତିନ ଗଡ଼କରୀ, ମନୋହର ଲାଲ୍ ଖଟ୍ଟର ଏବଂ ହରଦୀପ ସିଂ ପୁରୀଙ୍କ ଭଳି ବଡ଼ ନେତାଙ୍କ ବିଭାଗ ମଧ୍ୟ ବଦଳିବା ନେଇ ଆକଳନ କରାଯାଉଛି।
ମୋଦୀ କ୍ୟାବିନେଟ୍ରେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ ଏଣ୍ଟ୍ରି !
ଏହି କ୍ୟାବିନେଟ୍ ଅଦଲବଦଳରେ ଯେଉଁ ଖବରଟି ସବୁଠାରୁ ବଡ଼ ଚହଳ ସୃଷ୍ଟି କରିଛି, ତାହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ପୂର୍ବତନ ଗଭର୍ଣ୍ଣର ତଥା ଓଡ଼ିଶାର ମୂଳ ନିବାସୀ ଶକ୍ତିକାନ୍ତ ଦାସଙ୍କ କ୍ୟାବିନେଟ୍ ଏଣ୍ଟ୍ରି। ସୂତ୍ର ମୁତାବକ, ନିର୍ମଳା ସୀତାରାମନଙ୍କ ସ୍ଥାନରେ ଶକ୍ତିକାନ୍ତ ଦାସଙ୍କୁ ଦେଶର ପରବର୍ତ୍ତୀ କେନ୍ଦ୍ର ଅର୍ଥ ମନ୍ତ୍ରୀ କରାଯାଇପାରେ। ଏହା ସହିତ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପି ସଭାପତି କରାଯିବାର ସମ୍ଭାବନା ଥିବାରୁ, ତାଙ୍କ ସ୍ଥାନରେ ନିକଟରେ ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଘବ ଚଢ଼ାଙ୍କୁ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଭାବେ ନୂଆ ଦାୟିତ୍ଵ ମିଳିପାରେ।
ନୀତିଶ କୁମାର ଓ ଏକନାଥ ସିନ୍ଦେଙ୍କ ପୁଅ ମଧ୍ୟ ହୋଇପାରନ୍ତି ମନ୍ତ୍ରୀ
କ୍ୟାବିନେଟ୍ରେ କେବଳ ପୁରୁଣା ମନ୍ତ୍ରୀ ବଦଳିବେ ନାହିଁ, ବରଂ ଅନେକ ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ମିଳିବ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ନୀତିଶ କୁମାର ମୋଦୀ କ୍ୟାବିନେଟ୍ରେ ସାମିଲ ହୋଇ କୌଣସି ବଡ଼ ମନ୍ତ୍ରାଳୟର ଦାୟିତ୍ଵ ନେଇପାରନ୍ତି। ସେହିପରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାଂସଦ ପୁଅ ଶ୍ରୀକାନ୍ତ ସିନ୍ଦେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ପଶ୍ଚିମବଙ୍ଗରୁ ବିଜେପି ସାଂସଦ ରାଜୁ ବିଷ୍ଟ ଏବଂ ନିକଟରେ ମମତା ବାନାର୍ଜୀଙ୍କ ସହ ବିବାଦ ପରେ ଚର୍ଚ୍ଚାକୁ ଆସିଥିବା ସୁଖେନ୍ଦୁ ଶେଖର ରାୟଙ୍କୁ ମଧ୍ୟ କ୍ୟାବିନେଟ୍ରେ ସ୍ଥାନ ମିଳିପାରେ। ପଞ୍ଜାବ ନିର୍ବାଚନକୁ ଆଖିରେ ରଖି ଅମୃତସରର ବରିଷ୍ଠ ନେତା ତରୁଣ ଚୁଘଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିବା ନେଇ ଜୋରଦାର ଆଲୋଚନା ଚାଲିଛି।