ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରୁ ଏକ ବଡ଼ ଧରଣର ଆର୍ଥିକ ହେରଫେର ମାମଲାର ତଦନ୍ତ କରୁଥିବା ପୋଲିସ ହାତରେ ବଡ଼ ପ୍ରମାଣ ମିଳିଛି। ମନ୍ଦିରକୁ ଭକ୍ତମାନେ ଦେଇଥିବା ଦାନ ଗଣତି ଏବଂ ନୋଟ୍ ବିଡ଼ା ବନ୍ଧା ହେବା ସମୟରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର ଓ ସ୍କାମ୍ ହୋଇଥିବା ପୋଲିସ ଖୋଜାଖୋଜି ବେଳେ ଜାଣିବାକୁ ପାଇଛି।
ମିଳିଥିବା ସୂଚନା ଅନୁସାରେ, ମନ୍ଦିର ପରିସରରୁ ନିକଟରେ କିଛି ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସ୍ଥାନୀୟ ପୋଲିସ ଓ ସ୍ପେଶାଲ୍ ଟିମ୍ ତଦନ୍ତ ଆରମ୍ଭ କରିଥିଲେ। ତେବେ କେବଳ ସେହି ନିର୍ଦ୍ଦିଷ୍ଟ ଚୋରି ନୁହେଁ, ବରଂ ଦାନ ବାକ୍ସରୁ ଆସୁଥିବା ନୋଟ୍ଗୁଡ଼ିକୁ ବ୍ୟାଙ୍କରେ ଜମା କରିବା ପାଇଁ ପ୍ୟାକ୍ କରାଯାଉଥିବା ସମୟରେ ହିଁ ଦୀର୍ଘ ଦିନ ଧରି ଟଙ୍କା ଗାଏବ କରାଯାଉଥିଲା।
ସିସିଟିଭି ଫୁଟେଜ୍ରୁ ମିଳିଲା ସୁରାକ୍
ତଦନ୍ତକାରୀ ଦଳ ଯେତେବେଳେ ଟଙ୍କା ଗଣତି ଓ ପ୍ୟାକିଂ ହେଉଥିବା ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ, ସେତେବେଳେ ସେଠାରେ ନିଯୁକ୍ତ ଥିବା କିଛି କର୍ମଚାରୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ନଜରକୁ ଆସିଥିଲା। ନୋଟ୍ ଗଣତି ସରିବା ପରେ ଏବଂ ତାର ବିଡ଼ା ବନ୍ଧା ହେବା ସମୟରେ କିଛି ଚତୁରତାର ସହ ନୋଟ୍ ଗାଏବ କରି ଦିଆଯାଉଥିଲା। ଅଡିଟ୍ ଏବଂ ରେକର୍ଡ ଖାତାରେ ଥିବା ହିସାବ ସହ ବ୍ୟାଙ୍କରେ ଜମା ହେଉଥିବା ରାଶି ମଧ୍ୟରେ ବଡ଼ ଧରଣର ଗଡ଼ବଡ଼ ଦେଖିବାକୁ ମିଳିଛି।
ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ
ଏହି ସାଙ୍ଘାତିକ ମାମଲା ପଦାକୁ ଆସିବା ପରେ ରାମ ମନ୍ଦିର ଟ୍ରଷ୍ଟ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ତପ୍ତରତା ପ୍ରକାଶ ପାଇଛି। ପୋଲିସ ଏହି ହେରଫେରରେ ସାମିଲ ଥିବା ସନ୍ଦେହରେ କିଛି କର୍ମଚାରୀ ଓ ବ୍ୟାଙ୍କ ସହ ଜଡ଼ିତ ସଂସ୍ଥାର ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ସ୍କାମ୍ରେ କେଉଁ କେଉଁ ବଡ଼ ମୁଣ୍ଡ ସାମିଲ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ମୋଟ କେତେ ଲକ୍ଷ ଟଙ୍କା ହଡ଼ପ କରାଯାଇଛି, ତାହାର ସମ୍ପୂର୍ଣ୍ଣ ରିପୋର୍ଟ ଖୁବ୍ଶୀଘ୍ର ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।