ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ୍ ମେଗା ନିଲାମୀରେ କୋଟି କୋଟି ଟଙ୍କାରେ ବିକ୍ରି ହୋଇ ସେ ଇତିହାସ ରଚିଛନ୍ତି। ତେବେ ଏହି ସଫଳତା ସହିତ ତାଙ୍କ ଉପରେ ପ୍ରଦର୍ଶନର ଚାପ ମଧ୍ୟ ବଢ଼ିଯାଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକର ବୈଭବଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ମାଞ୍ଜରେକରଙ୍କ କହିବା ଅନୁଯାୟୀ, ବୈଭବଙ୍କୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଠାରୁ ଏକ ବିଶେଷ ଗୁଣ ଶିଖିବାକୁ ହେବ।
ବୟସ ତୁଳନାରେ ସଚିନ ଥିଲେ ଅଧିକ ପରିପକ୍ୱ
ଏକ ସାକ୍ଷାତକାରରେ ସଞ୍ଜୟ ମାଞ୍ଜରେକର ସଚିନ ତେନ୍ଦୁଲକରଙ୍କ ପଦାର୍ପଣ ସମୟର କହିଛନ୍ତି, ମୁଁ ଯେତେବେଳେ ସଚିନଙ୍କୁ ପ୍ରଥମ ଥର ପାଇଁ ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବାର ଦେଖିଥିଲି, ସେତେବେଳେ ସେ ନିଜ ବୟସ ତୁଳନାରେ ବହୁତ ଅଧିକ ପରିପକ୍ୱ ଜଣାପଡୁଥିଲେ। ତାଙ୍କ ବ୍ୟାଟିଂ ଏବଂ ମାନସିକତା ଦେଖି କେହି କହିପାରିବେ ନାହିଁ ଯେ ସେ ଜଣେ ୧୬ ବର୍ଷର କିଶୋର ଥିଲେ।
ମାଞ୍ଜରେକର ଆହୁରି ମଧ୍ୟ କହିଛନ୍ତି ଯେ, ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ଅସାଧାରଣ ପ୍ରତିଭା ରହିଛି, ହେଲେ ଖେଳ ପ୍ରତି ତାଙ୍କର ଆଭିମୁଖ୍ୟରେ ପରିପକ୍ୱତା ଆଣିବାକୁ ହେବ। କେବଳ ଆକ୍ରମଣାତ୍ମକ ସଟ୍ ଖେଳିବା ଯଥେଷ୍ଟ ନୁହେଁ, ବରଂ ପରିସ୍ଥିତି ଅନୁସାରେ ନିଜକୁ ଢାଳିବା ଶିଖିବାକୁ ପଡ଼ିବ।
ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ ବୈଭବ
ସୂଚନାଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ଆଇପିଏଲ୍ ମେଗା ନିଲାମୀରେ ବିହାରର ଏହି ବାମହାତୀ ଓପନରଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜିମାନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧୦ କୋଟି ଟଙ୍କାର ମୋଟା ଅଙ୍କର ବିଡ୍ ଲଗାଇ ନିଜ ଦଳରେ ସାମିଲ କରିଛି। ଏହା ସହିତ ସେ ଆଇପିଏଲ୍ ଇତିହାସର ସବୁଠାରୁ କମ୍ ବୟସ୍କ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି।