ଝାରସୁଗୁଡ଼ା: ମାତ୍ର ଗୋଟିଏ ବର୍ଷ ମଧ୍ୟରେ ନାବାଳିକା ଦୁଷ୍କର୍ମକାରୀକୁ ଦଣ୍ଡାଦେଶ ଦେଇଛନ୍ତି ପୋକ୍ସୋ ଅଦାଲତ । ଝାରସୁଗୁଡ଼ା ପୋସ୍କୋ କୋର୍ଟ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏକ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବନହରପାଲି ଥାନା ଅଧିନସ୍ଥ ଥର୍ମମାଲ ଆଇବି ପମ୍ପହାଉସପଡ଼ାର ଜୟକୃଷ୍ଣ ସିଂଙ୍କ ପୁଅ ଅଜୟ ସିଂ (୩୦) ନାମକ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର ଅଦାଲତ ।
ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର କୋର୍ଟ, ପୂଜା ଷଡ଼ଙ୍ଗୀ ଶନିବାର ମାମଲାର ଶୁଣାଣି କରିଛନ୍ତି । ଗତବର୍ଷ ଜୁନ ୨୨ରେ ଏକ ନାବାଳିକାକୁ ଦୁଷ୍କର୍ମ କରିବାକୁ ଅଭିଯୋଗରେ ପୋସ୍କୋ ଆଇନର ଧାରା ୬୫ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୬୫(୨) ଆଧାରରେ ବିଚାରପତି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡ ସହିତ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହା ସହିତ ପୀଡ଼ିତା ନାବାଳିକାକୁ ନାଲସା ସହାୟତା ଯୋଜନା ଅଧିନରେ ୮ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏକ ଜାତୀୟ ସ୍ତରର ବ୍ୟାଙ୍କରେ ବାଳିକାଙ୍କ ନାମରେ ଉକ୍ତ ଟଙ୍କା ଜମା କରିବାକୁ କୁହାଯାଇଛି ।