ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ରହ୍ମପୁର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଅନ୍ତିମ ଚାର୍ଜସିଟ୍ ଦାଖଲ କରିଛି । ବ୍ରହ୍ମପୁର ଏଜିଡେ କୋର୍ଟରେ ୩୯୬ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ହୋଇଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେଡ଼ି ବିଧାୟକ ବିକ୍ରମ ପଣ୍ଡାଙ୍କ ସହିତ ୧୬ ଜଣ ଅଭିଯୁକ୍ତ ରହିଛନ୍ତି । ଏହା ସହିତ ପୋଲିସ ନିଜ ଆଡ଼ୁ ମାମଲାର ଅନ୍ତ ଘଟାଇଛି ।
ପୂର୍ବରୁ ଜାନୁଆରୀ ୪ ତାରିଖରେ ପୋଲିସ ଦୁଇଟି ଟ୍ରଙ୍କ୍ ଭର୍ତ୍ତି ୩୦ ହଜାର ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ହତ୍ୟା ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡା ଏବଂ ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ ହୋଇଛନ୍ତି । ରାଜନୈତିକ, ବ୍ୟବସାୟିକ ଏବଂ ବୃତ୍ତିଗତ ଶତ୍ରୁତା ଯୋଗୁଁ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଗତବର୍ଷ ଅକ୍ଟୋବର ୬ ତାରିଖରେ ବ୍ରହ୍ମପୁର ବୈକୁଣ୍ଠନଗରରେ ପଏଣ୍ଟ୍ ବ୍ଲାଙ୍କରୁ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୀତବାସ ରାତିରେ ନିଜ କାର୍ଯ୍ୟାଳୟରୁ ଘରକୁ ଫେରିବା ସମୟରେ ଦୁଇ ଜଣ ସୁପାରି କିଲର୍ ବାଇକରେ ଆସି ଗୁଳି କରିଥିଲେ । ଘଟଣା ସ୍ଥଳରେ ପୀତବାସଙ୍କର ମୃତ୍ୟୁ ହୋଇଥିଲା ।