ନୂଆଦିଲ୍ଲୀ: ଖୁବ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ଦେଖାଦେଇଛି । କେନ୍ଦ୍ର ସଂଖ୍ୟା ଲଘୁ ଏବଂ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପଦରୁ ଜର୍ଜ କୁରିଆନ ଇସ୍ତଫା ଦେଇଛନ୍ତି । ପ୍ରଥମ କେନ୍ଦ୍ର ମନ୍ତ୍ରୀ ଭାବରେ ସେ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ କୁରିଆନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରାଯାଇଛି ।
ଜର୍ଜ କୁରିଆନଙ୍କ ଇସ୍ତଫା ପରେ ଜାତୀୟ ରାଜନୀତି ସରଗରମ ହୋଇଯାଇଛି । ଏହା ପରେ ଆଉ କିଏ ଇସ୍ତଫା ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ କେଉଁ ନୂଆ ଚେହେରା ମୋଦୀଙ୍କ ମନ୍ତ୍ରୀ ପରିଷଦରେ ସାମିଲ ହେଉଛନ୍ତି ତାହା ମଧ୍ୟ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ।
ଅଗଷ୍ଟ, ୨୦୨୪ ରୁ ଜର୍ଜ କୁରିଆନ ରାଜ୍ୟସଭାର ସଦସ୍ୟ ରହିଛନ୍ତି । ମୋଦୀ ସରକାରଙ୍କ ତୃତୀୟ ପାଳିରେ ୯ ଜୁନ୍ ୨୦୨୪ରେ ସେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେ ୧୧ ଜୁନ୍ ୨୦୨୪ ରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ପୂର୍ବରୁ କୁରିଆନ ଜାତୀୟ ସଂଖ୍ୟାଲଘୁ କମିଶନର ଉପାଧ୍ୟକ୍ଷ ଏବଂ ତତ୍କାଳୀନ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଓ. ରାଜଗୋପାଳଙ୍କ ସ୍ୱତନ୍ତ୍ର ଦାୟିତ୍ୱରେ ଅଧିକାରୀ (ଓଏସଡି) ଭାବରେ କାର୍ଯ୍ୟ କରିଥିଲେ। ଆଇନ କ୍ଷେତ୍ର ଏବଂ ସାଧାରଣ ପ୍ରଶାସନ ଉଭୟରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି ।
କେରଳର କୋଟ୍ଟାୟମ ଜିଲ୍ଲାର ଏଟ୍ଟୁମାନୁର ପୌରପାଳିକା ଅନ୍ତର୍ଗତ ନାମିଆକୁଲମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଜର୍ଜ କୁରିଆନ ଆଇନରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପୂର୍ବରୁ ତାଙ୍କ ଜନ୍ମସ୍ଥାନରେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ସେ ଭାରତର ସୁପ୍ରିମକୋର୍ଟରେ ଜଣେ ଓକିଲ ଭାବରେ କାର୍ଯ୍ୟ କରିଛନ୍ତି।