ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଏବେ ନିଜ ଦଳ ଭିତରେ ହିଁ ଅଡ଼ୁଆରେ ପଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର। କେରଳର ତିରୁଅନନ୍ତପୁରମ ସାଂସଦ ଥରୁରଙ୍କ ଏହି ମୋଦୀ ପ୍ରେମକୁ କଂଗ୍ରେସ ହାଇକମାଣ୍ଡ ସହଜରେ ଗ୍ରହଣ କରିପାରିନାହାନ୍ତି। ସୂତ୍ର ଅନୁଯାୟୀ, ଦଳୀୟ ଆଭିମୁଖ୍ୟ ବିରୋଧରେ ଯାଇ ବାରମ୍ବାର ବୟାନ ଦେଉଥିବାରୁ ହାଇକମାନ ତାଙ୍କ ଉପରେ ଚରମ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ପାଇଁ ଶେଷ ଚେତାବନୀ ବୋଲି ସଙ୍କେତ ଦେଇଛନ୍ତି।
ଥରୁରଙ୍କୁ ଘେରିଲେ ନିଜ ଦଳର ପ୍ରବକ୍ତା
ଥରୁରଙ୍କ ଏହି ବୟାନ ପରେ କଂଗ୍ରେସ ନେତୃତ୍ୱ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ଦଳର ପ୍ରବକ୍ତାମାନଙ୍କୁ ସାଧାରଣରେ ତାଙ୍କର ସମାଲୋଚନା କରିବାକୁ ଖୋଲା ଛାଡ଼ ଦେଇଛନ୍ତି। କଂଗ୍ରେସ ଗଣମାଧ୍ୟମ ବିଭାଗ ମୁଖ୍ୟ ପବନ ଖେଡ଼ା ସାଂସଦ ଥରୁରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ମୋର ବରିଷ୍ଠ ସହଯୋଗୀ ଶଶି ଥରୁର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିବା ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି। ହୋଇପାରେ ଏବେ ସେମିତି କିଛି କଥା ତାଙ୍କୁ ଶୁଭୁଛି, ଯାହା ପ୍ରଧାନମନ୍ତ୍ରୀ ମୋଦୀ କେବେ କହିନାହାନ୍ତି।
କଂଗ୍ରେସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କେରଳର ବଦଳୁଥିବା ରାଜନୈତିକ ସମୀକରଣକୁ ଦେଖି ଦଳ ଏବେ ଥରୁରଙ୍କୁ ଆଉ ଗୋଟିଏ ସୁଯୋଗ ଦେବା ସପକ୍ଷରେ ଅଛି। କିନ୍ତୁ ଯଦି ସେ ନିଜର ଏଭଳି ବୟାନବାଜି ଜାରି ରଖନ୍ତି, ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କଣ ଥିଲା ମୋଦୀଙ୍କ ସେହି ପ୍ରଶଂସା, ଯାହାକୁ ନେଇ ବଢ଼ିଲା ବିବାଦ ?
ଗତ ଜୁନ୍ ୧୮ରେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ସାକ୍ଷାତକାର ସମୟରେ ପିଏମ ମୋଦୀ ଯୁଦ୍ଧ ମଧ୍ୟରେ ପ୍ରାଣ ହରାଇଥିବା ଭାରତୀୟ ନାବିକମାନଙ୍କ ପ୍ରସଙ୍ଗ ଉଠାଇଥିଲେ।
ଏହାକୁ ସମର୍ଥନ କରି ଶଶି ଥରୁର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତିଙ୍କ ସାମ୍ନାରେ ଭାରତର ପକ୍ଷକୁ ଅତି ସ୍ପଷ୍ଟ ଭାବେ ରଖିଛନ୍ତି। ଯୁଦ୍ଧ ସମୟରେ ସାଧାରଣ ନାଗରିକ ଏବଂ ବାଣିଜ୍ୟିକ ଜହାଜରେ କାମ କରୁଥିବା ନାବିକମାନଙ୍କୁ ଟାର୍ଗେଟ୍ କରାଯିବା ଉଚିତ୍ ନୁହେଁ, କାରଣ ସେମାନେ ସୈନିକ ନୁହନ୍ତି। ମୋଦୀ ଏହି ବାର୍ତ୍ତା ସଠିକ୍ ଭାବେ ଦେଇଛନ୍ତି ବୋଲି ଥରୁର କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଆନ୍ତର୍ଜାତୀୟ କୂଟନୀତିକୁ ପ୍ରଶଂସା କରିବା ହିଁ ଏବେ ଥରୁରଙ୍କ ପାଇଁ ମହଙ୍ଗା ପଡ଼ିଛି।