କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଧରଣର ଓଲଟପାଲଟ। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ରେ ଦେଖାଦେଇଛି ବଡ଼ ବିଦ୍ରୋହ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ଟିଏମସିର ୨୦ ଜଣ ବିଦ୍ରୋହୀ ସାଂସଦ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ସାଂସଦମାନେ ଏବେ 'ନେସନାଲିଷ୍ଟ ସିଟିଜନ୍ସ ପାର୍ଟି'ରେ ନିଜକୁ ସାମିଲ କରିବା ସହ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ।
ଏନଡିଏକୁ ସମର୍ଥନ ଦେବେ ୨୦ ବିଦ୍ରୋହୀ ସାଂସଦ
ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର ଏହି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଲୋକସଭାରେ ଟିଏମସିର ୨୦ ଜଣ ସାଂସଦ ଏକାଠି ହୋଇ 'ନେସନାଲିଷ୍ଟ ସିଟିଜନ୍ସ ପାର୍ଟି'ରେ ମିଶିବେ । ଏହାସହ ସେମାନେ ଏନଡିଏ ସରକାରଙ୍କୁ ବାହାରୁ ସମର୍ଥନ ଜଣାଇବେ । ପଶ୍ଚିମବଙ୍ଗର କ୍ଷମତାସୀନ ଦଳ ପାଇଁ ଏହା ଏକ ଶକ୍ତ ଝଟକା ବୋଲି କୁହାଯାଉଛି ।
ଅସଲି ଟିଏମସି କିଏ ? କୋର୍ଟରେ ହେବ ଲଢ଼େଇ
ଅନ୍ୟପଟେ ବରିଷ୍ଠ ବିଦ୍ରୋହୀ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ସୂଚନା ଦେଇଛନ୍ତି ଯେ, ସେମାନଙ୍କ ଗୋଷ୍ଠୀ 'ଟିଏମସି' ନାମ ପାଇଁ ଆଇନଗତ ଲଢ଼େଇ କରିବେ । ସେ କହିଛନ୍ତି, "ଆମେ ଏକ ସ୍ୱୀକୃତିପ୍ରାପ୍ତ ଆଞ୍ଚଳିକ ଦଳ 'ନେସନାଲିଷ୍ଟ ସିଟିଜନ୍ସ ପାର୍ଟି'ରେ ବିଲୟ ହୋଇଛୁ । ଏବେ ଅସଲି ଟିଏମସି କିଏ, ତାହା କୋର୍ଟ ହିଁ ସ୍ଥିର କରିବେ ।"
ଅଭିଷେକ ବାନାର୍ଜୀଙ୍କ ପାଲଟା ଆକ୍ରମଣ
ଦଳରେ ଏହି ବଡ଼ ଫାଟ ପରେ ସକ୍ରିୟ ହୋଇଉଠିଛନ୍ତି ଟିଏମସି ନେତା ଅଭିଷେକ ବାନାର୍ଜୀ । ସେ ବାଚସ୍ପତିଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ଯେ, ଦଳର କୌଣସି ପୃଥକ ଗୋଷ୍ଠୀକୁ ଯେପରି ମାନ୍ୟତା ଦିଆନଯାଏ । ଟିଏମସି ଏକ ଅବିଭାଜ୍ୟ ରାଜନୈତିକ ଦଳ ଏବଂ ଲୋକସଭାରେ ଏହାର ଅସ୍ତିତ୍ୱ ମୂଳ ଦଳ ସହ ଜଡ଼ିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।
ବଦଳିଯିବ ସଂସଦର ଗଣିତ
ଯଦି ବାଚସ୍ପତି ଏହି ବିଲୟକୁ ମଞ୍ଜୁରୀ ଦିଅନ୍ତି, ତେବେ ଲୋକସଭାରେ ଟିଏମସିର ସଦସ୍ୟ ସଂଖ୍ୟା ମାତ୍ର ୨୦କୁ ଖସି ଆସିବ । ଏହା କେବଳ ଟିଏମସି ପାଇଁ ନୁହେଁ, ବରଂ ବିରୋଧୀ ମେଣ୍ଟ ପାଇଁ ମଧ୍ୟ ଏକ ବଡ଼ ରାଜନୈତିକ କ୍ଷତି ହେବ । ୧୯୯୮ ମସିହାରେ ମମତା ବାନାର୍ଜୀ ଟିଏମସି ପ୍ରତିଷ୍ଠା କରିବା ପରେ ଗତ ତିନି ଦଶନ୍ଧି ମଧ୍ୟରେ ଏହା ସବୁଠାରୁ ବଡ଼ ବିଭାଜନ ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣା ପରେ କେନ୍ଦ୍ର ରାଜନୀତି ସହ ବଙ୍ଗଳା ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି ।