କୋଲକାତା: କଂଗ୍ରେସ ସହ ବିଲୟ ମଧ୍ୟରେ ମମତା ବାନାର୍ଜୀଙ୍କୁ ଆଉ ଏକ ବଡ ଝଟକା ଲାଗିଛି । ଗୁରୁବାର ପାର୍ଟିର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ର ବରେକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖାସ୍ କଥା ଗୋଟିଏ ସପ୍ତାହ ଭିତରେ ଟିଏମସିର ତୃତୀୟ ସାଂସଦ ରାଜ୍ୟସଭାର ପଦ ଛାଡିଛନ୍ତି । ଗୋଟିଏ ଦିନ ପୂର୍ବେ ଅର୍ଥାତ ବୁଧବାର ସୁଷ୍ମିତା ଦେବ ରାଜ୍ୟସଭା ସାଂସଦ ଭାବେ ଇସ୍ତଫା ଦେଇଥିଲେ।
ରାଜ୍ୟସଭାରେ କମୁଛି ଟିଏମସି ସଂଖ୍ୟା
ରାଜ୍ୟସଭାରେ ମୋଟ୍ ୧୩ ସାଂସଦ ଥିବା ଟିଏମସିରୁ ବରେକଙ୍କ ଇସ୍ତଫା ପରେ ଏବେ ଏହି ସଂଖ୍ୟା ହ୍ରାସ ପାଇ ୧୦ରେ ପହଞ୍ଚିଛି । ଏହା ପୂର୍ବରୁ ବରିଷ୍ଠ ନେତା ସୁଖେନ୍ଦୁ ଶେଖ ରେ ଏବଂ ଦେବ ପଦ ଛାଡିଥିଲେ । ଫଳରେ ପାର୍ଟି ସୁପ୍ରିମୋ ମମତା ବାନାର୍ଜୀଙ୍କ ମୁସ୍କିଲ ଥମିବାର ନାଁ ନେଉନି । କୁହାଯାଉଛି ଆଗାମୀ ଦିନରେ ଆଉ ୩ ସାଂସଦ ପଦରୁ ଇସ୍ତଫା ଦେଇ ପାରନ୍ତି । ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଯେ, କେଉଁ ତିନି ଜଣ ସାଂସଦ ରାଜ୍ୟସଭା ପଦ ଛାଡିବେ ।
ଗୋଟିଏ ପଟେ ରେ ଟିଏମସିର ପୂର୍ବ ସରକାର ଉପରେ ଦୁର୍ନୀତି, ଦୁର୍ବଳ ସ୍ୱାସ୍ଥ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥା ସମେତ ଅନେକ ପ୍ରଶ୍ନ କରିଥିଲେ । ଅନ୍ୟପଟେ ଦେବ କାହିଁକି ଇସ୍ତଫା ଦେଲେ ତାର କାରଣ ସ୍ପଷ୍ଟ ହୋଇ ନାହିଁ । ଇସ୍ତଫା ଦେବା ପରେ ସେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଭେଟିଥିଲେ ।
ଲୋକସଭାରେ ବି ସମାନ ସ୍ଥିତି
ରାଜ୍ୟସଭା ପରି ଲୋକସଭାରେ ମଧ୍ୟ ମମତା ବାନାଜୀ ନିଜ ନେତାଙ୍କ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡିଛି । ବିଦ୍ରୋହୀ ଗୋଷ୍ଠୀରେ ୨୦ ସାଂସଦ ସାମିଲ୍ ହେବାର ଚର୍ଚ୍ଚା ଜୋର ଧରିଛି । ସେଥିରେ ୟସୁଫ ପଠାନ, ସାୟୋନୀ ଘୋଷ, ଶତାବ୍ଦୀ ରାୟ, କାକୋଲି ଘୋଷ, ଶତ୍ରୁଘ୍ନ ସିହ୍ନାଙ୍କ ନାଁ ସାମିଲ୍ । ଏହି ସବୁ ନେତା କାକୋଲି ଘେଷଙ୍କ ନେତୃତ୍ୱରେ ଏନଡିଏକୁ ସମର୍ଥନ ଦେବା ନେଇ ବାଚସ୍ପତି ଓମ ବିର୍ଲାଙ୍କୁ ପତର୍ ଦେଇ ପାରନ୍ତି ।