ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୦୦୮ ମସିହାର ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ ଗାଏବ ହୋଇଯିବା ଘଟଣାରେ ବର୍ଷିଛି ବିଜେପି । ଫାଇଲ୍ ହଜିବାରେ ତତ୍କାଳୀନ ସରକାରର ଏକ ବଡ଼ ଷଡ଼ଯନ୍ତ୍ର ଥିବା କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । ଯୋଜନା ବଦ୍ଧଭାବେ ଦୁଇଟି ଫାଇଲକୁ ଲୁଚା ଯାଇଛି କିମ୍ବା ଚୋରି କରାଯାଇଥିବା ବିରଞ୍ଚି ତ୍ରିପାଠୀ ସଙ୍ଗୀନ ଅଭିଯୋଗ କରିଛନ୍ତି ।
ବିଜେପି ଅଭିଯୋଗ କରିଛି ଯେ ଜଷ୍ଟିସ୍ ଶରତ ଚନ୍ଦ୍ର ନାଇଡୁ ନିଜେ କହିଛନ୍ତି ଦୁଇଟି ଦସ୍ତାବିଜରେ ପାଖାପାଖି ଦେଢ଼ ହଜାରରୁ ଦୁଇ ହଜାର ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ ଥିଲା । ଏତେ ବଡ଼ ଫାଇଲ୍ କିପରି ହଜିଲା ବୋଲି ବିଜେପି ପ୍ରଶ୍ନ କରିଛି । ୪ ଜୁନ୍ ୨୦୨୪ରେ ବିଜେପି ସରକାର ଆସିବା ପରେ ଫାଇଲ୍ ଖୋଜା ଯାଇଥିଲା । ଏ ନେଇ ସରକାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗ ଦାୟିତ୍ୱରେ ଥିବା ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୨୩ ଅକ୍ଟୋବର ୨୦୨୫ରେ ପ୍ରଥମେ ଚିଠି କରାଯାଇଥିଲା । ମାତ୍ର ସେପଟୁ କୌଣସି ଉତ୍ତର ମିଳିନଥିଲା । ଏହା ପରେ ପୁଣି ଥରେ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା ପରେ ୧୫ ନଭେମ୍ବର ୨୦୨୫ରେ ନବୀନଙ୍କ ପ୍ରାଇଭେଟ୍ ସେକ୍ରେଟାରୀ କହିଥିଲେ ଯେ ଫାଇଲକୁ ଖୋଜା ଯାଉଛି ।
ବିଜେପି କହିଛି ଯେ ୨୦୨୪ ସାଧାରଣ ନିର୍ବାଚନ ପରେ ଏହି ସମ୍ବେଦନଶୀଳ ଫାଇଲଗୁଡିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ଥାନାନ୍ତରିତ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି । ଯେତେବେଳେ ଗୃହ ବିଭାଗକୁ ସମସ୍ତ ଫାଇଲ୍ ହସ୍ତାନ୍ତର କରାଯାଇଥିଲା ସେତେବେଳେ ଦୁଇଟି ତଦନ୍ତ ରିପୋର୍ଟ ଫାଇଲ୍ ନ ଥିଲା । ବିଜେପି ଆସିବା ପରେ ରିପୋର୍ଟକୁ ସାର୍ବଜନୀନ କରିବାକୁ ଚେଷ୍ଟା କରିଛି । କିନ୍ତୁ ଏତେ ଗୁରୁତ୍ୱପୂର୍ଣ୍ଣ ହଜିଯିବା ଏବଂ ଖୋଜିବା ପରେ ନମିଳିବା ଦୁଃଖ ଓ ପରିତାପର ବିଷୟ । ଏଥିରେ ଗଭୀର ଷଡ଼ଯନ୍ତ୍ର ଜଡ଼ିତ ରହିଛି । ଏଥିରେ ବିଜେଡ଼ି ଆଉ ନବୀନ ପଟ୍ଟନାୟକଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ତଦନ୍ତ ହେଲେ ସତ ସାମ୍ନାକୁ ବୋଲି ବିଜେପି କହିଛି ।
ଉଲ୍ଲେଖ ଯୋଗ୍ୟ, ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ ଫାଇଲ୍ ଚୋରି ହୋଇଛି । ହଜିଥିବା ରିପୋର୍ଟ ହେଉଛି ବିଶ୍ୱ ହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ ରିପୋର୍ଟ ଏବଂ ୨୦୧୬ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ । କ୍ୟାପିଟାଲ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ୬୧(୨)(ବି)ରେ ଏକ ମାମଲା ରୁଜୁ କରାଯାଇଛି।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ବିଚାରପତି ଶରତ ଚନ୍ଦ୍ର ନାଇଡୁ ତଦନ୍ତ କରିଥିଲେ । ୨୦୧୬ ସେପ୍ଟେମ୍ବର ୧୯ ତାରିଖରେ ଏହାର ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେହିପରି ସମ୍ ହସ୍ପିଟାଲ୍ ଆର୍ଡିସି ତଦନ୍ତ ରିପୋର୍ଟ ମେ’ ୨୩, ୨୦୧୮ରେ ମୁଖ୍ୟସଚିବଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିବାବେଳେ ସେଠାରୁ ମେ’ ୨୪, ୨୦୧୮ରେ ସିଏମ୍ଓକୁ ଯାଇଥିଲା। କିନ୍ତୁ ଏହି ଦୁଇଟି ଫାଇଲ୍ ଏବେ ସରକାରଙ୍କୁ ମିଳୁ ନାହିଁ ।