ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଞ୍ଚଳରେ ଘଟିଥିବା ଏକ ଚାଞ୍ଚଲ୍ୟକର ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଠିକାଦାରଙ୍କୁ ନିର୍ମମ ଭାବେ ଆକ୍ରମଣ କରି କାର୍ ଓ ଟଙ୍କା ଲୁଟିନେଇଥିବା ଗ୍ୟାଙ୍ଗର ୬ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ପେଷାଦାର ଅପରାଧୀ ବୋଲି ଜଣାପଡ଼ିଛି।
ଘଟଣାଟି ଗତ ୬ ତାରିଖ ରାତିର। ଟପରିଆ ଅଞ୍ଚଳରେ ନିର୍ମାଣ କାମ ସାରି ଠିକାଦାର ଯଜ୍ଞ ସିଂ ନିଜ କାର୍ରେ ଘରକୁ ଫେରୁଥିଲେ। ଘରଠାରୁ ମାତ୍ର ୨୦୦ ମିଟର ଦୂରରେ କିଛି ଯୁବକ ବାଇକ୍ ଖରାପ ହୋଇଥିବା କହି ସାହାଯ୍ୟ ମାଗିଥିଲେ। ମାନବିକତା ଦେଖାଇ କାର୍ରୁ ଓହ୍ଲାଇବା ମାତ୍ରେ ଠିକାଦାରଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ଲୁହା ବାଡ଼ିରେ ମୁଣ୍ଡକୁ ପ୍ରହାର କରିବା ସହ ଦଳବଦ୍ଧ ଭାବେ ମାଡ଼ ମାରିଥିଲେ ଦୁର୍ବୃତ୍ତମାନେ।
ରକ୍ତାକ୍ତ ଅବସ୍ଥାରେ ଯଜ୍ଞ ସିଂ ଜୀବନ ବଞ୍ଚାଇବାକୁ ଗାଁ ଆଡ଼କୁ ଦୌଡ଼ି ପଳାଇଥିବା ବେଳେ ଲୁଟେରାମାନେ କାର୍, ମୋବାଇଲ୍ ଓ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ନାକାବନ୍ଦି କରିବାରୁ ଅଭିଯୁକ୍ତମାନେ ୮୦ କିଲୋମିଟର ଦୂର ସମରଡିହି ଜଙ୍ଗଲ ରାସ୍ତାରେ କାର୍ ଓ ମୋବାଇଲ୍ ଛାଡ଼ି ପଳାଇଥିଲେ।
ଏସ୍ପି ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶରେ ଗଠିତ ୩ଟି ସ୍ୱତନ୍ତ୍ର ଟିମ୍ ସିସିଟିଭି, ଟେକ୍ନିକାଲ୍ ଓ ଗୁଇନ୍ଦା ସୂଚନା ଆଧାରରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ଲୁଟ୍ କାର୍, ୩ଟି ବାଇକ୍, ୫ଟି ମୋବାଇଲ୍, ପିସ୍ତଲ, ଧାରୁଆ ଅସ୍ତ୍ର ଓ ଲୁହାବଳା ଜବତ ହୋଇଛି।
ପୁଲିସ ତଦନ୍ତରୁ ଜଣାପଡ଼ିଛି, ଏହି ଗ୍ୟାଙ୍ଗ ପୂର୍ବରୁ ମଧ୍ୟ ବାଇକ୍ ଚୋରି ଓ ଲୁଟ୍ ଭଳି ଅନେକ ଅପରାଧରେ ସମ୍ପୃକ୍ତ ଥିଲା। ଏବେ ସେମାନଙ୍କ ଅନ୍ୟ ଅପରାଧିକ ଲିଙ୍କ୍ ଖୋଜିବାରେ ଲାଗିଛି ପୁଲିସ।