ପୁରୀ: ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମାନକୁ ନେଇ ଦେଖାଦେଇଛି ବିବାଦ। ଏଥର ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି ଏକ ଅନଲାଇନ୍ ଶପିଂ ପ୍ଲାଟଫର୍ମରେ ବିକ୍ରି ହେଉଥିବା ଶାଢୀ। ଶାଢୀରେ ମହାପ୍ରଭୁ ଜଗନ୍ନାଥଙ୍କ ମୁଖମଣ୍ଡଳ ଓ ରଥଯାତ୍ରାର ଚିତ୍ର ବ୍ୟବହାର କରାଯାଇଥିବାରୁ ଶ୍ରୀମନ୍ଦିର ସେବାୟତ, ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ, 'ସୋନି ଷ୍ଟୋର'ରେ ମିନୁ ଫ୍ୟାସନ୍ ନାମକ ଏକ ସଂସ୍ଥା ‘ଜୟ ଜଗନ୍ନାଥ ପିଓର କଟନ ଶାଢୀ’ ନାମରେ ଶାଢୀ ବିକ୍ରି କରୁଛି। ପ୍ରାୟ ୭୪୯ ଟଙ୍କା ମୂଲ୍ୟର ଏହି ଶାଢୀରେ ମହାପ୍ରଭୁଙ୍କ ମୁଖମଣ୍ଡଳ ସହ ରଥଯାତ୍ରାର ଚିତ୍ର ଛପାଯାଇଥିବା ଦେଖିବାକୁ ମିଳିଛି। ଏହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିବାଦ ଆହୁରି ବଢ଼ିଛି।
ସେବାୟତ ମହଲର ଅଭିଯୋଗ, ମହାପ୍ରଭୁ କେବଳ ଜଣେ ଦେବତା ନୁହଁନ୍ତି, ସେ କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ଭାବନାର ପ୍ରତୀକ। ତାଙ୍କ ଚିତ୍ର ଓ ରଥକୁ ଶାଢୀ ପରି ବ୍ୟବହାରିକ ପୋଷାକରେ ଛପାଇ ବ୍ୟବସାୟ କରିବା ଅନୁଚିତ ଏବଂ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହୋଇଛି।
ବୁଦ୍ଧିଜୀବୀମାନେ ମଧ୍ୟ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମତରେ, ଧାର୍ମିକ ପ୍ରତୀକ ଓ ଦେବଦେବୀଙ୍କ ଚିତ୍ରକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ପୂର୍ବରୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସମ୍ବେଦନଶୀଳତା ଦେଖାଇବା ଆବଶ୍ୟକ।
ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଭକ୍ତମାନେ ତୁରନ୍ତ ଏହି ପ୍ରଡକ୍ଟକୁ ଅନଲାଇନ୍ ପ୍ଲାଟଫର୍ମରୁ ହଟାଇବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ରଥଯାତ୍ରା ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଥିବାରୁ ପୁଣିଥରେ ମହାପ୍ରଭୁଙ୍କ ନାମ ଓ ଚିତ୍ରର ବାଣିଜ୍ୟିକ ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଛି।