ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (BPUT) ପୁଣିଥରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୨୦୨୫-୨୬ ଶିକ୍ଷାବର୍ଷର ଇଭେନ୍ ସେମିଷ୍ଟର ପରୀକ୍ଷା ଶେଷ ହେବାର ମାତ୍ର ୨ ଦିନ ମଧ୍ୟରେ ଫଳାଫଳ ପ୍ରକାଶ କରି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି କରିଛି।
ଗତ ଏପ୍ରିଲ ୨୯ରୁ ଜୁନ ୮ ପର୍ଯ୍ୟନ୍ତ B.Tech, B.Arch, B.Pharm, BCA, BBA, M.Sc, M.Tech, MBA ଓ MCA ପାଠ୍ୟକ୍ରମର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୯୩ ହଜାର ୩୬୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ରାଜ୍ୟର ୫୨ଟି ନୋଡାଲ ସେଣ୍ଟରରେ ୧,୫୪୧ ଜଣ ଅଧ୍ୟାପକ ଡିଜିଟାଲ ମାଧ୍ୟମରେ ୫ ଲକ୍ଷରୁ ଅଧିକ ଉତ୍ତରଖାତା ମୂଲ୍ୟାୟନ କରିଥିଲେ। ଉପକୁଳପତି ପ୍ରଫେସର ଅମିୟ କୁମାର ରଥଙ୍କ ନେତୃତ୍ୱରେ ଜୁନ ୧୦ରେ ପରୀକ୍ଷା ବୋର୍ଡ ବୈଠକ ବସି ଫଳାଫଳକୁ ଅନୁମୋଦନ କରିଥିଲା। ସେହି ଦିନ ସନ୍ଧ୍ୟାରେ ରେଜଲ୍ଟ ପ୍ରକାଶ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଦ୍ରୁତ ଫଳାଫଳ ପ୍ରକାଶ ପାଇଁ BPUT ପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଓ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ସାରିଛି। ଏଥର ମଧ୍ୟ ବିଶ୍ୱବିଦ୍ୟାଳୟ ନିଜର ସେହି ସଫଳତାକୁ ଦୋହରାଇ ନୂଆ ଇତିହାସ ରଚିଛି।