ମୟୁରଭଞ୍ଜ: ଡକାରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଘଟଣାର ପ୍ରାୟ ସପ୍ତାହ ପରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ, ଯାହା ଏହି ଚର୍ଚ୍ଚିତ ଘଟଣାକୁ ନେଇ ନୂଆ ପ୍ରଶ୍ନ ଓ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ରିପୋର୍ଟ ଅନୁସାରେ, ପାଣିରେ ବୁଡ଼ି ଅଣନିଶ୍ୱାସୀ ହୋଇ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ହତ୍ୟାର ସ୍ପଷ୍ଟ ପ୍ରମାଣ ମିଳିନଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି। ତଥାପି ତଦନ୍ତ ଜାରି ରହିଥିବାରୁ ରହସ୍ୟ ଉପରୁ ପରଦା ସମ୍ପୂର୍ଣ୍ଣ ହଟିନାହିଁ।
ଗତ ଜୁନ୍ ୫ ତାରିଖରେ କଟକ ତ୍ରିଶୁଳିଆ ନିକଟ କାଠଯୋଡ଼ି ନଦୀପଠାରୁ ଉଦ୍ଧାର ହୋଇଥିଲା ଚନ୍ଦ୍ରିକାଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲାର ଏହି ମେଧାବୀ ଛାତ୍ରୀ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜରେ MBBS ପାଠ ପଢ଼ୁଥିଲେ। ବ୍ରିଜ ଉପରୁ ତାଙ୍କ ବ୍ୟାଗ ଓ ଚପଲ ମିଳିବା ପରେ ଘଟଣା ଅଧିକ ରହସ୍ୟଘେରା ହୋଇପଡ଼ିଥିଲା।
ଚନ୍ଦ୍ରିକାଙ୍କ ପରିବାର ଆରମ୍ଭରୁ ଏହାକୁ ସନ୍ଦେହଜନକ ମୃତ୍ୟୁ ବୋଲି ଦାବି କରିଆସୁଛନ୍ତି। ପରିବାର ଲୋକେ ମାନସିକ ନିର୍ଯାତନା ଏବଂ ହତ୍ୟା ଅଭିଯୋଗ ଆଣିଥିବା ବେଳେ ମାମଲାକୁ ନେଇ ଏବେ ଆଇନଗତ ଲଢ଼େଇ ଆରମ୍ଭ ହୋଇଛି।
ଏହାରି ମଧ୍ୟରେ ଘଟଣାର ୬ ଦିନ ପରେ ଚନ୍ଦ୍ରିକାଙ୍କ କଥିତ ପ୍ରେମିକ ତଥା OAS ପୁରୁଷ ବନ୍ଧୁ ଭୀମସେନ ଟୁଡୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ପରିବାର ପକ୍ଷରୁ ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରରୋଚନା ଓ ହତ୍ୟା ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଖୋଜୁଥିଲେ ମଧ୍ୟ ସେ ଏବେ ପୋଲିସ ପାଖରେ ଅପହଞ୍ଚ ରହିଛନ୍ତି।
ପୋଷ୍ଟମର୍ଟମ ରିପୋର୍ଟ ବୁଡ଼ି ମୃତ୍ୟୁ ଦିଗକୁ ଇଙ୍ଗିତ କରୁଥିବା ବେଳେ, ଭୀମସେନଙ୍କ ଆଗୁଆ ଜାମିନ ଆବେଦନ ଓ ତାଙ୍କ ଅନୁପସ୍ଥିତି ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି। ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଓ କୋର୍ଟର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।