ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ନାକଚ ହେବା ସମସ୍ୟାରେ ଫସିଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ସର୍ବୋଚ୍ଚ ଅଦାଲତରୁ ତତ୍କାଳ କୌଣସି ଆଶ୍ୱସ୍ତି ମିଳିନାହିଁ। ଗୁରୁବାର ସୁପ୍ରିମକୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ଆବେଦନ ଉପରେ ଆସନ୍ତାକାଲି ଶୁକ୍ରବାର ଶୁଣାଣି କରାଯିବ।
ଜଷ୍ଟିସ ପ୍ରଶାନ୍ତ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ସମ୍ମୁଖରେ ମୀନାକ୍ଷୀଙ୍କ ଯାଚିକାକୁ ଉପସ୍ଥାପନ କରାଯାଇଥିଲା। ରିଟର୍ଣ୍ଣିଂ ଅଫିସର ତାଙ୍କ ନାମାଙ୍କନ ନାକଚ କରିବା ପାଇଁ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ କଂଗ୍ରେସ ନେତ୍ରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
କୋର୍ଟରେ କଣ ହେଲା ଯୁକ୍ତିତର୍କ?
ମୀନାକ୍ଷୀ ନଟରାଜନଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟଙ୍କୁ କହିଥିଲେ ଯେ, ଆଜି ନାମାଙ୍କନ ପ୍ରକ୍ରିୟାର ଶେଷ ଦିନ ହୋଇଥିବାରୁ ଏହି ମାମଲାରେ କୋର୍ଟଙ୍କ ତୁରନ୍ତ ହସ୍ତକ୍ଷେପ ଏବଂ ନିର୍ଦ୍ଦେଶର ଜରୁରୀ ଆବଶ୍ୟକତା ରହିଛି। ସେ ପ୍ରତିନିଧିତ୍ୱ ଆଇନ (RP Act) ର ସେକ୍ସନ 33Aର ତର୍କଦେଇଥିଲେ। ସିଙ୍ଘଭୀ ଯୁକ୍ତି ବାଢ଼ିଥିଲେ ଯେ, ସମ୍ପୃକ୍ତ ମାମଲାରେ କୋର୍ଟ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଫ୍ରେମ୍ ହୋଇନାହିଁ। ଅନ୍ୟପଟେ, ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କଂଗ୍ରେସର ଏହି ଆବେଦନକୁ ଜୋରଦାର ବିରୋଧ କରିଥିଲେ।
ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଷ୍ଟିସ ପ୍ରଶାନ୍ତ କୁମାର କହିଛନ୍ତି ଯେ, ନିୟମ ସ୍ପଷ୍ଟ ଏବଂ ‘ଅଶୋକ କୁମାର’ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ପୂର୍ବରୁ ହିଁ ସ୍ପଷ୍ଟତା ଆଣିସାରିଛି। ଏହା କହି କୋର୍ଟ ଆଜି କୌଣସି ଆଦେଶ ନଦେଇ ମାମଲାକୁ ଶୁକ୍ରବାର ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।
କାହିଁକି ରଦ୍ଦ ହେଲା ମୀନାକ୍ଷୀଙ୍କ ନାମାଙ୍କନ?
ନିର୍ବାଚନ ନିୟମ ଅନୁସାରେ, ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଫର୍ମ-୨୬ ଜରିଆରେ ନିଜ ନାମରେ ଥିବା ସମସ୍ତ ଅପରାଧିକ ମାମଲାର ସମ୍ପୂର୍ଣ୍ଣ ସତ୍ୟ ବିବରଣୀ ଦେବାକୁ ପଡ଼ିଥାଏ। ଏହି ଫର୍ମର କୌଣସି ବି ସ୍ଥାନ ବା କଲମ୍କୁ ଖାଲି ଛଡ଼ାଯାଇ ପାରିବ ନାହିଁ। ଯଦି କୌଣସି ମାମଲା ନଥାଏ, ତେବେ ସେଠାରେ 'ଶୂନ୍ୟ' କିମ୍ବା 'ଲାଗୁ ନୁହେଁ' ଲେଖିବା ବାଧ୍ୟତାମୂଳକ। କିନ୍ତୁ ମୀନାକ୍ଷୀ ନଟରାଜନ ଫର୍ମ-୨୬ ପୂରଣ କରିବା ସମୟରେ ତେଲେଙ୍ଗାନାରେ ତାଙ୍କ ନାମରେ ଚାଲିଥିବା ମାମଲା ବିଷୟରେ ଉଲ୍ଲେଖ କରିନଥିଲେ, ଯାହାକୁ ଆଧାର କରି ରିଟର୍ଣ୍ଣିଂ ଅଫିସର ତାଙ୍କ ନାମାଙ୍କନ ନାକଚ କରିଛନ୍ତି।
Also Read: ଓମାନ ଉପକୂଳରେ ପୁଣି ଜାହାଜ ଉପରେ ଆକ୍ରମଣ: ‘ଏମଟି ଜଲବୀର’ରେ ଲାଗିଲା ନିଆଁ, ଫସିଛନ୍ତି ୨୦ ଭାରତୀୟ