ନୂଆଦିଲ୍ଲୀ: ସମୁଦ୍ର ମଝିରେ ବଢ଼ିବାରେ ଲାଗିଛି ଆତଙ୍କ। ଓମାନର ଶିନାସ ବନ୍ଦର ନିକଟରେ ପୁଣି ଏକ ବାଣିଜ୍ୟିକ ଜାହାଜ ଆକ୍ରମଣର ଶିକାର ହୋଇଛି। ‘ଏମଟି ଜଲବୀର’ ନାମକ ଏହି ଜାହାଜ ଉପରେ ଭୟଙ୍କର ଆକ୍ରମଣ କରାଯାଇଛି, ଯାହା ପରେ ଜାହାଜର ଇଞ୍ଜିନରେ ନିଆଁ ଲାଗିଯାଇଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ଜାହାଜରେ ୨୦ ଜଣ ଭାରତୀୟ ନାଗରିକ ଅଛନ୍ତି ଏବଂ ସେମାନେ ଏବେ ସମୁଦ୍ର ମଝିରେ ଫସି ରହିଛନ୍ତି।
ଜାହାଜର କ୍ରୁ ମେମ୍ବରମାନେ ସାହାଯ୍ୟ ପାଇଁ ଜରୁରୀକାଳୀନ ‘SOS’ ବାର୍ତ୍ତା ପଠାଇଛନ୍ତି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଚିତ୍ରରେ ଜାହାଜଟି ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଓମାନ ଉପକୂଳରେ ଗତ ୩ ଦିନ ମଧ୍ୟରେ ଏହା ହେଉଛି କ୍ରମାଗତ ତୃତୀୟ ଆକ୍ରମଣ, ଯାହା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି।
ସ୍ଥିତି ଉପରେ ନଜର ରଖିଛି ଭାରତୀୟ ଦୂତାବାସ
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବୟାନ ଜାରି କରାଯାଇଛି। ଦୂତାବାସ ସ୍ପଷ୍ଟ କରିଛି ଯେ, ଗୁରୁବାର ଶିନାସ ବନ୍ଦର ନିକଟରେ ଏକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସେମାନଙ୍କୁ ସୂଚନା ମିଳିଛି। ମାମଲାର ଗମ୍ଭୀରତାକୁ ଦେଖି ଭାରତ ସରକାର ଏବଂ ଦୂତାବାସ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଓମାନର ସମ୍ପୃକ୍ତ ଅଧିକାରୀମାନଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରାଯାଉଛି। ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ କଣ ଏବଂ ଏଥିରେ କାହାର ହାତ ଅଛି, ସେ ନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମିଳିନାହିଁ।
ପୂର୍ବ ଆକ୍ରମଣରେ ୨ ଭାରତୀୟଙ୍କ ମୃତ୍ୟୁ
ଏହା ପୂର୍ବରୁ ବୁଧବାର ମଧ୍ୟ ଓମାନ ତଟ ନିକଟରେ ‘ସେଟେବେଲୋ’ ନାମକ ଏକ କମର୍ସିଆଲ୍ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ସେହି ଜାହାଜରେ ମୋଟ ୨୮ ଜଣ ସଦସ୍ୟ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ଭାରତୀୟ ଥିଲେ। ଆକ୍ରମଣ ପରେ ୩ ଜଣ ଭାରତୀୟ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ୩ ଜଣଙ୍କ ମଧ୍ୟରୁ ୨ ଜଣ ଭାରତୀୟଙ୍କ ମୃତଦେହ ମିଳିସାରିଛି। ଭାରତ ଏହି ବର୍ବରୋଚିତ ଆକ୍ରମଣକୁ କଡ଼ା ନିନ୍ଦା କରିଛି।