ଭୁବନେଶ୍ୱର: ତାତିରେ ସିଝୁଥିବା ଓଡ଼ିଶାବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ସକ୍ରିୟ ହୋଇଥିବା ବେଳେ ଆଗାମୀ ୩ ଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ରଜ ପର୍ବ ସମୟରେ ମୌସୁମୀର ଆଗମନ ହେବାକୁ ଥିବାରୁ ଚାଷୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଲାଗି ରହିବ। ବଜ୍ରପାତ, ଘଡ଼ଘଡ଼ି ଓ ପବନ ସହ ବର୍ଷାର ସମ୍ଭାବନା ରହିଥିବାରୁ ଅଧିକାଂଶ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ମାଲକାନଗିରି, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି।
ସେହିପରି ରାଜ୍ୟର ଅନ୍ୟ ୨୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ କହିଛି, ଆସନ୍ତା ୨ ଦିନ ପରେ ରାଜ୍ୟର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସିପାରେ। ତେବେ ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ।
ମୌସୁମୀର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହେବେ। ତେବେ ଆନ୍ତର୍ଜାତିକ ପାଣିପାଗ ମଡେଲ ଅନୁଯାୟୀ, ମୌସୁମୀ ଏକାଥରେ ସମଗ୍ର ଓଡ଼ିଶାକୁ ଛୁଇଁବ ନାହିଁ; ବରଂ ପର୍ଯ୍ୟାୟକ୍ରମେ ଧୀରେ ଧୀରେ ସାରା ରାଜ୍ୟକୁ ବ୍ୟାପିବ। ଫଳରେ ଆସନ୍ତା କିଛି ଦିନ ଧରି ବର୍ଷା ଓ କାଳବୈଶାଖୀର ଡବଲ୍ ପ୍ରଭାବ ଦେଖିବାକୁ ମିଳିପାରେ।