ଭୁବନେଶ୍ୱର: ଓଡ଼ିଶାରେ ଖରା ଓ ଗୁଳୁଗୁଳି ଗରମରେ ଅସ୍ତବ୍ୟସ୍ତ ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। ଏହା ସହିତ ରାଜ୍ୟରେ ବର୍ଷା ଓ କାଳବୈଶାଖୀ ଜନିତ କାର୍ଯ୍ୟକଳାପ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ସର୍ବାଧିକ ୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବିଶେଷକରି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଜୁନ ୧୨ରୁ ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
ବର୍ଷାର ପରିମାଣ ବଢ଼ିବା ସହିତ ଆଗାମୀ କିଛି ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ। ଫଳରେ ଅସହ୍ୟ ଗରମରୁ ଲୋକେ କିଛିଟା ଆଶ୍ୱସ୍ତି ପାଇବେ।
ତେବେ କାଳବୈଶାଖୀ ସମୟରେ ଲୋକମାନଙ୍କୁ ସତର୍କ ରହିବାକୁ IMD ପରାମର୍ଶ ଦେଇଛି। ଘଡ଼ଘଡ଼ି ସମୟରେ ଘର ଭିତରେ ରହିବା, ଗଛ ତଳେ ଆଶ୍ରୟ ନ ନେବା, ବିଦ୍ୟୁତ ଉପକରଣରୁ ଦୂରେ ରହିବା ଏବଂ ଜଳାଶୟ ନିକଟକୁ ନ ଯିବା ପାଇଁ ଅନୁରୋଧ କରାଯାଇଛି।