ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଦିବ୍ୟସିଂପୁର ଗ୍ରାମରେ ମା’ ଏବଂ ଦିବ୍ୟାଙ୍ଗ ଝିଅର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । କେନାଲରେ ଦିବ୍ୟାଙ୍ଗ ଝିଅର ମୃତଦେହ ମିଳିଥିବାବେଳେ ନିକଟରେ ଥିବା ଭଙ୍ଗା ଘରୁ ମା’ର ଗଳିତ ମୃତଦେହ ମିଳିଛି । ମୃତକ ହେଲେ ଫୁଲମଣି ହେମ୍ବ୍ରମ ଏବଂ ତାଙ୍କର ଦିବ୍ୟାଙ୍ଗ ନାବାଳିକା ଝିଅ ।
ଆଜି ଦିବ୍ୟସିଂପୁର ଗ୍ରାମ ଅନ୍ଵେଷା ହଷ୍ଟେଲ ନିକଟରେ ଥିବା କେନାଲରେ ଏକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଲୋକେ ପାଖକୁ ଯାଇ ଦେଖିବାରୁ କେନାଲରେ ଏକ ମୃତଦେହ ଉଲଗ୍ନ ଅବସ୍ଥାରେ ଭାସୁଥିଲା । ନିକଟରେ ଥିବା ଏକ ଘରୁ ମଧ୍ୟ ଦୁର୍ଗନ୍ଧ ଆସିଥିଲା। ଘର ପାଖକୁ ଯିବାରୁ ଦୁର୍ଗନ୍ଧରେ ନାକ ଫାଟି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଉଦଳା ଥାନା ପୁଲିସକୁ ଖବର ଦେଖିଥିଲେ ।
ପୁଲିସ ଘଟଣା ସ୍ଥଳରେ ପହଁଚି ଘରେ ଟଙ୍ଗା ହୋଇଥିବା ମଶାରୀ ଭିତରୁ ଫୁଲମଣିଙ୍କ ମୃତଦେହକୁ ଜବତ କରିଥିଲା । ସେହିପରି କେନାଲରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିବା ସେ ଫୁଲମଣିଙ୍କ ଦିବ୍ୟାଙ୍ଗ ନାବାଳିକା ଝିଅ ବୋଲି ଜଣାପଡ଼ିଥିଲା । ସେପଟେ ଘର ଭିତର ସମସ୍ତ ସାମଗ୍ରୀ ଅସଜଡ଼ା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେଣୁ ଉଭୟଙ୍କୁ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରିଛି । ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଛାନଭିନ କରୁଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ମୃତକ ଫୁଲମଣିଙ୍କର ଜମିବାଡ଼ି ବିବାଦ ରହିଥିଲା। ସେହିପରି ଗତ ମେ ମାସରେ କୁକୁର ପାଇଁ ଫୁଲମଣିଙ୍କ ଦିବ୍ୟାଙ୍ଗ ଝିଅ ଏବଂ ମାକୁ କିଛି ଗ୍ରାମବାସୀ ଆକ୍ରମଣ କରିଥିଲେ । ଏ ଘଟଣା ଥାନାରେ ମଧ୍ୟ ପହଞ୍ଚିଥିଲା। ତେଣୁ କେହି ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ପୋଲିସ ଦୁଇଟି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଆରମ୍ଭ କରିଛି ।