ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨୪ ଘଣ୍ଟାରେ ଦୁଇ ଦୁଇଟି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜନ୍ମ କଲା ବାପାକୁ ନିର୍ମମଭାବେ ହତ୍ୟା କରିଛି ପୁଅ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିହାଣୀ ଅଞ୍ଚଳରେ ବାପାକୁ ପୁଅ ପଥରରେ ଛେଚି ହତ୍ୟା କରିଛି । ମୃତକ ହେଲେ ଏସ୍. ଦୁର୍ଯ୍ୟୋଧନ । ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତ ପୁଅ ଏସ୍. ଦେବଦତ୍ତକୁ ଅଟକ ରଖିବା ସହିତ ମୃତ ଦେହକୁ ଜବତ କରିଛି ।
ପ୍ରାଥମିକ ସୂଚନା ମୁତାବକ, ଚକେଇସିହାଣୀ ମଞ୍ଚନାଥନଗର ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଆଜି ସକାଳେ ଏକ ତେଲୁଗୁ ପରିବାରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗତକାଲି ରାତିରେ ଏସ୍. ଦୁର୍ଯ୍ୟୋଧନ ଓ ବଡ଼ ପୁଅ ଦେବଦତ୍ତଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ପଡ଼ୋଶୀ ମଧ୍ୟ ପାଟିତୁଣ୍ଡ ଶୁଣି ଥିଲେ । କିନ୍ତୁ ସେମାନେ ତେଲୁଗୁ ଭାଷାରେ କଥା ହେଉଥିବାରୁ କେହି ଘଟଣା ସମ୍ପର୍କରେ ଜାଣିପାରିନଥିଲେ । ତେବେ ଆଜି ସକାଳୁ ପୁଣି ଘର ଭିତରୁ ଚିତ୍କାର ଶୁଭାଯାଇଥିଲା । ଏହି ସମୟରେ ପଡ଼ୋଶୀ ମଧ୍ୟ ଧାଇଁ ଆସିଥିଲେ । ପୁଅ ଏକ ପଥରରେ ଛେଚି ଛେଚି ବାପାକୁ ହତ୍ୟା କରିଥିବା ଜଣାପଡ଼ିଛି ।
ଜୋନ୍ ଏସିପି ବିଶ୍ୱରଞ୍ଜନ ସେନାପତି ଓ ମଞ୍ଚେଶ୍ୱର ଥାନା ପୋଲିସ ଟିମ୍ ଖବର ପାଇ ଘଟଣା ସ୍ଥଳରେ ପହଁଚିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି । ମୃତ ଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଏହା ସହିତ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ସନ୍ଧ୍ୟାରେ ସେହି ମଞ୍ଚେଶ୍ୱର ଥାନା ଚକେଇସିହାଣୀ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିଲା । ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଥିଲା ସ୍ୱାମୀ । ଏହା ପରେ ସ୍ୱାମୀ ନିଜେ ବିଷ ପିଇ ଦେଇଥିଲା । ମୃତ ମହିଳା ହେଲେ ମୋନିକା ଜେନା । ଗୁରୁତର ସ୍ୱାମୀ ପ୍ରଦୀପ ଜେନାକୁ ପୋଲିସ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି । ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।
ମାତ୍ର 24 ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ହତ୍ୟାକାଣ୍ଡ ମଞ୍ଚେଶ୍ୱର ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଦୁଇଟି ହତ୍ୟାକାଣ୍ଡ ପାରିବାରିକ କଳହ ଯୋଗୁଁ ହୋଇଥିବା ଜଣାପଡ଼ିଛି ।