ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଜେଲ୍ରେ ଥିବା କଏଦୀମାନଙ୍କ ପାଇଁ ଆରମ୍ଭ ହେବ ଏକ ନୂଆ ପଦକ୍ଷେପ। ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରୁ ରାଜ୍ୟର ସମସ୍ତ କାରାଗାରରେ ଦେଶଭକ୍ତିଭିତ୍ତିକ ଚଳଚ୍ଚିତ୍ର ଓ ପ୍ରାମାଣିକ ଚିତ୍ର (ଡକ୍ୟୁମେଣ୍ଟାରୀ) ପ୍ରଦର୍ଶନ କରାଯିବ। କଏଦୀମାନଙ୍କ ମନରେ ଦେଶପ୍ରେମର ଭାବନା ସୃଷ୍ଟି କରିବା ସହ ସେମାନଙ୍କ ସଂସ୍କାର ଓ ପୁନର୍ବାସ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଏବଂ ଗାନ୍ଧୀ ଜୟନ୍ତୀରେ ଦେଶାତ୍ମବୋଧକ ଚଳଚ୍ଚିତ୍ର ପ୍ରଦର୍ଶନ କରିବାକୁ ଓଡ଼ିଶା ଜେଲ ଏବଂ ସଂଶୋଧନ ସେବା ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ ଜେଲକୁ ନିର୍ଦ୍ଦେଶ ଦେଇଛି।
ଓଡ଼ିଶା କାରାଗାର ଓ ସଂଶୋଧନ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସମସ୍ତ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଏବଂ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଏହି ପଦକ୍ଷେପ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ମାଧ୍ୟମରେ ଅଳକାଶ୍ରମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ପରେ କାର୍ଯ୍ୟକାରୀ ହୋଇଛି। ଜଗତସିଂହପୁରର “ସାବରମତୀ ଆଶ୍ରମ” ଭାବେ ପରିଚିତ ଅଳକାଶ୍ରମର କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ହୋତା ପ୍ରସ୍ତାବରେ ଦର୍ଶାଇଥିଲେ ଯେ, କଏଦୀମାନେ ଅନେକ ସମୟରେ ଜାତୀୟ ପର୍ବ ଓ ଦେଶର ଇତିହାସଠାରୁ ଦୂରେଇ ରହିଥାନ୍ତି। ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଓ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏଭଳି ଚଳଚ୍ଚିତ୍ର ପ୍ରଦର୍ଶନ ଉପଯୋଗୀ ହେବ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତ ଜୁଲାଇ ୨୪ ତାରିଖରେ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ରେଞ୍ଜ ଡିଆଇଜିମାନେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ।
ତେବେ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ କଡ଼ା ନିୟମ ମଧ୍ୟ ଲାଗୁ କରାଯାଇଛି। ପ୍ରତ୍ୟେକ ଚଳଚ୍ଚିତ୍ର କିମ୍ବା ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶନ ପୂର୍ବରୁ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅନୁମୋଦନ ନେବା ବାଧ୍ୟତାମୂଳକ। ଅପରାଧ, ଯୌନ ଶୋଷଣ, ଅତ୍ୟଧିକ ହିଂସା କିମ୍ବା ନକାରାତ୍ମକ ବିଷୟବସ୍ତୁ ଥିବା ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। କେବଳ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଓ ଆଇନସମ୍ମତ ଚଳଚ୍ଚିତ୍ର ହିଁ ପ୍ରଦର୍ଶିତ ହେବ।
କାରାଗାର ବିଭାଗର ବିଶ୍ୱାସ ଯେ, ଏହି ପଦକ୍ଷେପ କେବଳ କଏଦୀମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବ ନାହିଁ, ବରଂ ସେମାନଙ୍କୁ ଦେଶର ଇତିହାସ, ସ୍ୱାଧୀନତା ସଂଗ୍ରାମ ଓ ଜାତୀୟ ମୂଲ୍ୟବୋଧ ସହ ଯୋଡ଼ି ସେମାନଙ୍କ ପୁନର୍ବାସ ପ୍ରକ୍ରିୟାକୁ ଆହୁରି ସଫଳ କରିବ।