ମୟୂରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ରାଇରଙ୍ଗପୁର ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉଭୟ VVIPଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରର ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଓ ଗସ୍ତସ୍ଥାନକୁ ‘ନୋ-ଡ୍ରୋନ୍ ଜୋନ୍’ ଏବଂ ‘ନୋ-ଫ୍ଲାଇଂ ଜୋନ୍’ ଭାବେ ଘୋଷଣା କରାଯାଇଛି।
ଆସନ୍ତା ଜୁନ୍ ୧୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିବେ। ଏହାର ପରଦିନ ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠାରେ ପହଞ୍ଚିବେ। ଓଡ଼ିଶାରେ ବିଜେପି ସରକାରଙ୍କ ଦ୍ୱିତୀୟ ବର୍ଷପୂର୍ତ୍ତି ଉତ୍ସବରେ ଉଭୟ ନେତା ଯୋଗଦେବେ।
ଏହି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ଏସପିଙ୍କୁ ଚିଠି ଲେଖି ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଡ୍ରୋନ୍ ଓ ଅନ୍ୟ କୌଣସି ଉଡ଼ନ୍ତା ଯନ୍ତ୍ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସାଧାରଣ ଲୋକ ନୁହେଁ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ମଧ୍ୟ ଡ୍ରୋନ୍ କ୍ୟାମେରା ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସତର୍କବାଣୀ ଦିଆଯାଇଛି।
ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ ପ୍ରସ୍ତୁତିର ସମୀକ୍ଷା କରି ସୁରକ୍ଷା, ଜନସାଧାରଣଙ୍କ ସୁବିଧା ଓ ପାର୍କିଂ ବ୍ୟବସ୍ଥାକୁ ନେଇ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।
ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏକାସାଙ୍ଗରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ମଧ୍ୟ କରାଯିବ। ଏହାକୁ ନେଇ ଏବେଠାରୁ ରାଇରଙ୍ଗପୁରରେ ଉତ୍ସାହ ସହ ସୁରକ୍ଷା ସତର୍କତା ଚରମ ସୀମାରେ ପହଞ୍ଚିଛି।