ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ପାକଟିଆ ନାଉପଦା ଗାଁରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ପାରିବାରିକ କଳହ ଏପରି ଭୟଙ୍କର ରୂପ ନେବ ବୋଲି କେହି କଳ୍ପନା ମଧ୍ୟ କରିନଥିଲେ। ଅଭିଯୋଗ ଅନୁସାରେ, ନିଜ ଶାଶୁ-ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ କରିଛି ଜଣେ ଜ୍ୱାଇଁ।
ସୂଚନା ଅନୁଯାୟୀ, ରଘୁନାଥପୁର ଅଞ୍ଚଳର ଏସ.କେ. ସାଜିଦ୍ ଦୀର୍ଘ ଦିନ ଧରି ନିଜ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ। ଏହି କାରଣରୁ ତାଙ୍କ ପତ୍ନୀ ବାପଘରକୁ ଚାଲିଆସିଥିଲେ। ଗତକାଲି ଉଭୟ ପରିବାର ମଧ୍ୟରେ ସମାଧାନ ପାଇଁ ଆଲୋଚନା ହୋଇଥିଲା। କିନ୍ତୁ କଥାବାର୍ତ୍ତା ପରେ ସାଜିଦ୍ ଉତ୍ତେଜିତ ହୋଇ ପ୍ରଥମେ ଘର ବାହାରେ ଥିବା ପୋଷାକରେ ନିଆଁ ଲଗାଇଥିଲେ।
ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା। ଅଭିଯୋଗ ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍ରେ ପରିବାର ଲୋକେ ଶୋଇଥିବା ବେଳେ ସେ ଘରକୁ ଆସି କବାଟ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ମୁହୂର୍ତ୍ତକ ମଧ୍ୟରେ ନିଆଁ ଘର ଭିତରକୁ ବ୍ୟାପିଯାଇଥିଲା। ଶାଶୁ ସୁହାନା ବିବି କୌଣସି ପ୍ରକାରେ ପିଲାମାନଙ୍କୁ ନେଇ ବାହାରକୁ ପଳାଇ ଆସିଥିଲେ। କିନ୍ତୁ ଶ୍ୱଶୁର ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ଶାଶୁଙ୍କ ହାତ ମଧ୍ୟ ଦଗ୍ଧ ହୋଇଛି।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ସେମାନଙ୍କ ସ୍ଥିତି ଚିନ୍ତାଜନକ ବୋଲି କହୁଛନ୍ତି। ଘଟଣା ପରଠାରୁ ଅଭିଯୁକ୍ତ ସାଜିଦ୍ ଫେରାର ଥିବାବେଳେ ଶୁଳିଆପଦା ପୋଲିସ ମାମଲା ରୁଜୁ କରି ତଦନ୍ତ ଜୋରଦାର କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।