ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସରକାରୀ ହଷ୍ଟେଲ ଓ ସେବାଶ୍ରମରେ କାର୍ଯ୍ୟରତ ଲେଡି ମାଟ୍ରନମାନେ ଚାକିରି ସ୍ଥାୟୀକରଣ ସହ ବିଭିନ୍ନ ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ନିଖିଳ ଓଡ଼ିଶା ଲେଡି ମାଟ୍ରନ ସଂଘ’ ଜିଲ୍ଲା ଶାଖା ପକ୍ଷରୁ ଏକ ବିଶାଳ ପ୍ରତିବାଦ ରାଲି ଆଜି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ (DWO) କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ଏସଟି-ଏସସି ବିଭାଗ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ମାଟ୍ରନମାନଙ୍କ ଅଭିଯୋଗ ଅନୁଯାୟୀ, ବିଗତ ୧୦ ବର୍ଷରୁ ଅଧିକ ସମୟ ଧରି ସେବା ଯୋଗାଉଥିଲେ ସୁଦ୍ଧା ସେମାନଙ୍କ ଚାକିରି ସ୍ଥାୟୀ କରାଯାଉନାହିଁ। ଦିନରାତି ୨୪ ଘଣ୍ଟା ଡ୍ୟୁଟି ଏବଂ ବର୍ଷକୁ ମାତ୍ର ୧୫ଟି ଛୁଟି ମିଳୁଥିବା ବେଳେ, ମାତ୍ର ୧୫,୦୦୦ ଟଙ୍କା ଅଳ୍ପ ଦରମାରେ ପରିବାର ଚଳାଇବା କଷ୍ଟକର ହେଉଛି। ଏହାସହ ଅଧିକାରୀମାନଙ୍କ ନାଲିଆଖି ଏବଂ ବିନା କାରଣରେ ଚାକିରିରୁ ବହିଷ୍କାର କରାଯିବା ନୀତିକୁ ସେମାନେ ତୀବ୍ର ବିରୋଧ କରିଛନ୍ତି। ସରକାର ଯଦି ସେମାନଙ୍କ ଦାବି ପୂରଣ ନକରନ୍ତି, ତେବେ ସମଗ୍ର ଓଡ଼ିଶାର ଶତାଧିକ ମାଟ୍ରନ ହଷ୍ଟେଲ କାର୍ଯ୍ୟ ବନ୍ଦ କରି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ମହା-ଆନ୍ଦୋଳନ କରିବେ ବୋଲି ସଂଘ ଚେତାବନୀ ଦେଇଛି।