ଭୁବନେଶ୍ୱର: ରାଜ୍ୟର ଗୃହରକ୍ଷୀ ବା ହୋମଗାର୍ଡମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା (Duty Call-up Allowance) ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ହଜାର ହଜାର ଗୃହରକ୍ଷୀ ଉପକୃତ ହେବେ।
୬୩୯ରୁ ୬୫୦କୁ ବୃଦ୍ଧି ପାଇଲା ଭତ୍ତା
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ଏବେ ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବର୍ଦ୍ଧିତ ଭତ୍ତା ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ। ଅର୍ଥାତ ଗୃହରକ୍ଷୀମାନେ ଜାନୁଆରୀ ମାସରୁ ବର୍ଦ୍ଧିତ ଭତ୍ତାର ବକେୟା ଟଙ୍କା ମଧ୍ୟ ପାଇବେ।
କାହିଁକି ଏହି ନିଷ୍ପତ୍ତି ?
ରାଜ୍ୟ ସରକାର ନିକଟରେ ନିୟମିତ କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା (DA) ବୃଦ୍ଧି କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୃହରକ୍ଷୀମାନେ ଯେପରି ଅବହେଳିତ ନହୁଅନ୍ତି ଏବଂ ବଢୁଥିବା ଦରଦାମ ସହ ତାଳ ଦେଇ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ୨୦୨୫ ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୨୩ ଟଙ୍କାରୁ ୬୩୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା।
Also Read: ମୋହନଙ୍କ ଚିଠିର ପ୍ରଭାବ; ଦୀଘା ଜଗନ୍ନାଥ ଧାମରୁ ହଟିବ ‘ଧାମ’ ଶବ୍ଦ, ବଡ଼ ଘୋଷଣା କଲେ ଶୁଭେନ୍ଦୁ ଅଧିକାରୀ