ଭୁବନେଶ୍ବର: ଦ୍ରୁତଗତି ମହାବିପତ୍ତି। ସଡ଼କ ସୁରକ୍ଷା ଜୀବନ ରକ୍ଷା। ସାଧାରଣ ମଣିଷ ଏକଥା ଜାଣିଥାନ୍ତା କି ନାହିଁ, ସେକଥା ଭିନ୍ନ। କିନ୍ତୁ ଭାରୀ ଯାନ ଚଳାଉଥିବା ଚାଳକମାନେ ଏକଥା ଭଲ ଭାବରେ ଜାଣିଥାନ୍ତି। ଏହା ପରେ ମଧ୍ୟ ଭାରୀ ଯାନର ଚାଳକମାନେ ସେମାନଙ୍କର ଗାଡ଼ିକୁ ଦ୍ରୁତଗତିରେ ନେଇଥାନ୍ତି, ଯେଉଁଥି ପାଇଁ ଦୁର୍ଘଟଣାରେ ଅନେକ ଲୋକଙ୍କର ଜୀବନ ଚାଲି ଯାଉଛି।
ଗତକାଲି ସକାଳୁ ବଲାଙ୍ଗୀର ଟାଉନ ଥାନା ଅଧୀନ ଗାନ୍ଧୀନଗର ପଡ଼ା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆଜି ପୁଣି ସମାନ ପ୍ରକାରର ଅଘଟଣ କଳାହାଣ୍ଡି ଜିଲ୍ଲାରେ ଘଟିଛି। ଏହି ୨୬ ନମ୍ବର ଜାତୀୟ ରାଜପଥର କେସିଙ୍ଗା ବ୍ଲକ ଖଜୁରୀପଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଏକ ଅଜଣା ଟ୍ରକ୍ ଧକ୍କାରେ ଦୁଇ ଟ୍ରକ ଡ୍ରାଇଭଙ୍କ ମୃତ୍ୟୁ ଘଟିଛିl
ସୂଚନା ଅନୁସାରେ ଦୁଇ ଜଣ ଟ୍ରକ୍ ଡ୍ରାଇଭର ମଣ୍ଡିରୁ ଧାନ ଆଣି ଉତ୍କେଲା ଓରିଆନ ମିଲକୁ ଆସିଥିଲେ। ଧାନ ଖାଲି କରିବା ପାଇଁ ମିଲ୍କୁ ଆସିଥିବା ବେଳେ ସେମାନେ ରାସ୍ତାରେ ଟ୍ରକ୍ ଛିଡା କରିଥିଲେ। ଟ୍ରକ ନିକଟରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ଅଜଣା ଟ୍ରକ ଆସି ଦୁଇ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନାଯୋଗ୍ୟ, ଗତକାଲି ସକାଳୁ ବଲାଙ୍ଗୀର ଟାଉନ ଥାନା ଅଧୀନ ଗାନ୍ଧୀନଗରପଡ଼ାରେ ସ୍କୁଟିରେ ଯାଉଥିବା ସୁନୀତା ନାଗ ଏବଂ ତାଙ୍କର ଝିଅ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଖସିପଡ଼ିଥିଲେ। ସେମାନେ ରାସ୍ତା ଉପରେ ଖସିପଡ଼ିବାର କାରଣ ଥିଲା ପୋଖରୀର ପଙ୍କ। ଜାତୀୟ ରାଜପଥ ଉପରେ ପୋଖରୀର ପଙ୍କ ପଡ଼ିଥିବାରୁ ସ୍କୁଟିର ଚକା ସ୍ଲିପ ହୋଇ ଖସି ଯାଇଥିଲା। ଏହି ସମୟରେ ପଛପଟରୁ ଆସୁଥିବା ଟ୍ରକ୍ ସେମାନଙ୍କର ଉପରେ ଚଢ଼ି ଯାଇଥିଲା।
ଅଧିକ ପଢ଼ନ୍ତୁ: ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୭୫୫ଟି ନୂତନ ପଦବୀ ମଞ୍ଜୁର