ବରଗଡ଼: ଖୁସିର ମୁହୂର୍ତ୍ତକୁ ଅପେକ୍ଷା କରୁଥିବା ଏକ ପରିବାର ଉପରେ ଖସିପଡ଼ିଛି ଦୁଃଖର ପାହାଡ଼। ପ୍ରସବ ପାଇଁ ହସ୍ପିଟାଲକୁ ଯାଇଥିବା ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ବରଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅପରେସନ ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ବ୍ଲାଡର କାଟିଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ମୃତ ମହିଳା ହେଲେ ଭଟଲି ବ୍ଲକ ହାତିସର ଗାଁର ସୃଷ୍ଟିପ୍ରଭା ପ୍ରଧାନ। ସେ ଗତ ମେ ୧୩ ତାରିଖରେ ପ୍ରସବ ପାଇଁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସିଜେରିଆନ୍ ଅପରେସନ ସମୟରେ ଡାକ୍ତର ଭୁଲବଶତଃ ତାଙ୍କ ବ୍ଲାଡର କାଟିଦେଇଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଜଟିଳ ହୋଇପଡ଼ିଥିଲା।
ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବୁର୍ଲାସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୃଷ୍ଟିପ୍ରଭାଙ୍କ ମୃତ୍ୟୁ ଘଟିଥିଲା। ଯାହା ପରେ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା।
ଘଟଣାର ପ୍ରତିବାଦରେ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକେ ମୃତଦେହକୁ ହସ୍ପିଟାଲ ସମ୍ମୁଖରେ ରଖି ରାସ୍ତାରୋକ କରିଥିଲେ। କ୍ଷତିପୂରଣ ସହ ହସ୍ପିଟାଲ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଅନ୍ୟପଟେ, ପରିବାରର ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଡାକ୍ତରଙ୍କ କହିବା ଅନୁସାରେ, ରୋଗୀଙ୍କୁ ନିୟମ ଅନୁଯାୟୀ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲାକୁ ରେଫର କରାଯାଇଥିଲା। ଏହି ଘଟଣାରେ ସଠିକ୍ ତଦନ୍ତ ହେଲେ ତାହାକୁ ସାମ୍ନା କରିବାକୁ ହସ୍ପିଟାଲ ପ୍ରସ୍ତୁତ ବୋଲି ସେ କହିଛନ୍ତି।ଏବେ ଏହି ଘଟଣାର ସତ୍ୟତା କଣ ଏବଂ ମହିଳାଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।