ଖୋର୍ଦ୍ଧା: ରାଜ୍ୟରେ ବଢ଼ୁଥିବା ନିଶା କାରବାର ଉପରେ ଶକ୍ତ ପ୍ରହାର କରିଛି ଖୋର୍ଦ୍ଧା ପୋଲିସ। ‘ନଶା ମୁକ୍ତ ଅଭିଯାନ’ ଅନ୍ତର୍ଗତ ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରି ପ୍ରାୟ ୫୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।
ବିଶେଷ ସୂଚନା ଆଧାରରେ ଶିଳ୍ପାଞ୍ଚଳ ଥାନାର ଏନଫୋର୍ସମେଣ୍ଟ ଟିମ୍ ଗତ ରାତିରେ ଜାତୀୟ ରାଜପଥ-୧୬ ନିକଟସ୍ଥ ଏକ ହୋଟେଲ ପାଖରେ ଚଢ଼ାଉ କରିଥିଲା। ଅଭିଯାନ ବେଳେ ପୋଲିସ ସନ୍ଦିଗ୍ଧ ଭାବେ ଘୁରିବା କିଛି ବ୍ୟକ୍ତିଙ୍କୁ ଅଟକ ରଖି ଯାଞ୍ଚ କରିଥିଲା। ତଦନ୍ତ ସମୟରେ ସେମାନଙ୍କ ନିକଟରୁ ବହୁ ପରିମାଣର ବ୍ରାଉନସୁଗାର ଜବତ ହୋଇଥିଲା।
କେବଳ ନିଶାଦ୍ରବ୍ୟ ନୁହେଁ, ପୋଲିସ ଅଭିଯୁକ୍ତଙ୍କ କବଜାରୁ ୧୮ ହଜାର ଟଙ୍କା ନଗଦ, ୪ଟି ମୋବାଇଲ ଫୋନ୍ ଏବଂ ଏକ ବୁଲେଟ୍ ମୋଟରସାଇକେଲ ମଧ୍ୟ ଜବତ କରିଛି। ଗିରଫ ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏହି ଘଟଣା ସମ୍ପର୍କରେ ଖୋର୍ଦ୍ଧା ଏସପି ସ୍ମିତ ପରମାର କହିଛନ୍ତି ଯେ, ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଜଣେ ଯୋଗାଣକାରୀ, ଜଣେ ଗ୍ରାହକ ଏବଂ ଅନ୍ୟ ଜଣେ ଏହି ନେଟୱାର୍କର ସହଯୋଗୀ ରହିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ସଂଗଠିତ ନିଶା କାରବାର ଚକ୍ରର ଅଂଶ ବୋଲି ସନ୍ଦେହ କରାଯାଉଛି।
ଆହୁରି ଚମକାଇଦେବା ଭଳି କଥା ହେଉଛି, ଗିରଫ ଅଭିଯୁକ୍ତଙ୍କ ପରିବାରର କିଛି ସଦସ୍ୟ ପୂର୍ବରୁ ମଧ୍ୟ ନିଶା କାରବାର ସମ୍ବନ୍ଧୀୟ ମାମଲାରେ ଜେଲରେ ଥିବା ଜଣାପଡ଼ିଛି।
ପୋଲିସ ବର୍ତ୍ତମାନ ଏହି ରାକେଟ ପଛର ଲିଙ୍କ୍ ଖୋଜିବା ସହ ଏହା ପଛରେ ଥିବା ବଡ଼ ନେଟୱାର୍କକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି। ରାଜ୍ୟରେ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନ ମଧ୍ୟରେ ଏହାକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।