ଭୁବନେଶ୍ୱର: ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ପୋଲିସର ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୧୭ଟି ଜିଲ୍ଲାର ପୋଲିସ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ୧୫ ଜଣ ବରିଷ୍ଠ IPS ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।
ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବାକୁ ଥିବା ଏହି ବିଶେଷ ଅଭିଯାନରେ ଏଡିଜି ଓ ଆଇଜି ସ୍ତରର ଅଧିକାରୀମାନେ ସିଧାସଳଖ ଜିଲ୍ଲା ଗସ୍ତ କରିବେ। ଥାନାଗୁଡ଼ିକର କାର୍ଯ୍ୟପ୍ରଣାଳୀ, ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା ଓ ପୋଲିସ ବିରୋଧରେ ଆସୁଥିବା ଅଭିଯୋଗର ସମୀକ୍ଷା କରାଯିବ। ବିଶେଷକରି ଥାର୍ଡ-ଡିଗ୍ରୀ ପ୍ରୟୋଗ ଓ ହାଜତ ନିର୍ଯାତନା ସମ୍ବନ୍ଧୀୟ ଅଭିଯୋଗର ଗଭୀର ତଦନ୍ତ ହେବ।
ପ୍ରତ୍ୟେକ ଅଧିକାରୀଙ୍କୁ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲାରେ ଫିଲ୍ଡ ଭିଜିଟ୍ କରି ଯାଞ୍ଚ ଶେଷ ହେବାର ୧୫ ଦିନ ମଧ୍ୟରେ ଡିଜିପିଙ୍କ ନିକଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି।
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକର ଦାୟିତ୍ୱ ଦିଆଯାଇଥିବା ବେଳେ ଏଡିଜି ସଞ୍ଜୀବ ପଣ୍ଡା କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ତଦାରଖ କରିବେ। ଅନ୍ୟ ୧୩ ଜଣ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ଦିଆଯାଇଛି।
ପୋଲିସ ବ୍ୟବସ୍ଥାରେ ସ୍ୱଚ୍ଛତା, ପେସାଦାରିତା ଓ ଲୋକଙ୍କ ବିଶ୍ୱାସ ବଢ଼ାଇବା ଲକ୍ଷ୍ୟରେ ନିଆଯାଇଥିବା ଏହି ପଦକ୍ଷେପକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ପୋଲିସ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ଏହା ଏକ ବଡ଼ ଅଭିଯାନ ବୋଲି କୁହାଯାଉଛି।