ଭୁବନେଶ୍ୱର: ବାଲିଅନ୍ତାର ଚର୍ଚ୍ଚିତ ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଆହୁରି ତେଜିଛି। ଏହି ହାଇପ୍ରୋଫାଇଲ୍ ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ଏଡିଜି ଅରୁଣ ବୋଥ୍ରା ଆଜି ପୁଲିସ ଡିଜି ୱାଇ.ବି. ଖୁରାନିଆଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାମ୍ପ ଅଫିସରେ ଭେଟିଛନ୍ତି। ସେଠାରେ ସେ ମାମଲାର ଏକ ପ୍ରାଥମିକ ତଦନ୍ତ ରିପୋର୍ଟ ଡିଜିପିଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ସାମ୍ପ୍ରତିକ ସ୍ଥିତି ବିଷୟରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଆଜିର ଏହି ରିପୋର୍ଟ ଦାଖଲ ପରେ ମାମଲାରେ ଛନ୍ଦି ହୋଇଥିବା ବରିଷ୍ଠ ଆଇପିଏସ୍ ତଥା ଏଡିଜି ଦୟାଲ୍ ଗଙ୍ଗୱାରଙ୍କ ଅଡ଼ୁଆ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସୌମ୍ୟଙ୍କୁ ମିଳୁଥିଲା ନିର୍ଯାତନା: ପରିବାରର ସଙ୍ଗୀନ ଅଭିଯୋଗ
ମୃତ ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ଏଡିଜି ଦୟାଲ୍ ଗଙ୍ଗୱାର ନିଜ ବ୍ୟକ୍ତିଗତ ତଥା ଘରୋଇ କାମରେ ନିୟୋଜିତ କରୁଥିଲେ ଏବଂ ତାଙ୍କୁ ତୀବ୍ର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ସୌମ୍ୟଙ୍କ ପରିବାର ଲୋକେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ରାଜ୍ୟ ପୁଲିସ ମୁଖ୍ୟ ଗୁରୁତର ସହ ନେଇ ତୁରନ୍ତ ତଦନ୍ତ କରିବାକୁ ଏଡିଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ। ଦାୟିତ୍ୱ ମିଳିବା ପରେ ଶ୍ରୀ ବୋଥ୍ରାଙ୍କ ଟିମ୍ ଏହି ଲିଙ୍କ୍କୁ ନେଇ ଜୋର୍ଦାର୍ ଖୋଳତାଡ଼ ଓ ତନାଘନା ଆରମ୍ଭ କରିଛି।
କ୍ରାଇମବ୍ରାଞ୍ଚର ଚିଠି ଏବଂ NHRCର ଏଣ୍ଟ୍ରି
ଏହି ଘଟଣାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ମଧ୍ୟ ତତ୍ପରତା ପ୍ରକାଶ କରିଥିଲା। ଗତ ମାସ ୨୬ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରେଳବାଇ ଓ ତଟସୁରକ୍ଷା ଏଡିଜିଙ୍କୁ ଏକ ସ୍ୱତନ୍ତ୍ର ସରକାରୀ ଚିଠି ଲେଖାଯାଇଥିଲା। ସୌମ୍ୟଙ୍କୁ ବ୍ୟକ୍ତିଗତ କାମରେ ଲଗାଇବା ଓ ନିର୍ଯାତନା ଦେବା ଅଭିଯୋଗର ସଠିକ୍ ଅନୁସନ୍ଧାନ କରି ମାନବାଧିକାର ସୁରକ୍ଷା ସେଲ୍ର ଅତିରିକ୍ତ ଡିଜିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ରହିଥିଲା।
ଅନ୍ୟପଟେ, ଜଣେ ପୁଲିସ କର୍ମଚାରୀଙ୍କୁ ବ୍ୟକ୍ତିଗତ କାମରେ ବ୍ୟବହାର କରାଯିବା ଏବଂ ମାନବାଧିକାର ଉଲ୍ଲଂଘନକୁ ନେଇ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ଭିତ୍ତି କରି NHRC ରାଜ୍ୟ ପୁଲିସ ଡିଜିଙ୍କୁ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଶନଙ୍କ ନିର୍ଦ୍ଦେଶ କ୍ରମେ, ଡିଜିପି ନିଜେ ଘଟଣାସ୍ଥଳ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ।
କଟକରେ ଡେରା ଜମାଇଥିଲା କମିଶନ ଟିମ୍
NHRCର ନିର୍ଦ୍ଦେଶ ଏବଂ ଚିଠି ଆଧାରରେ ରାଜ୍ୟ HRPC ସେଲ୍ ମଧ୍ୟ କ୍ରାଇମବ୍ରାଞ୍ଚ ଏବଂ କମିଶନରେଟ୍ ପୁଲିସକୁ ନିଜର ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଥିଲା। ଏହି କ୍ରମରେ ଗତ ଜୁନ୍ ୪ ତାରିଖରେ NHRCର ଏକ ସ୍ୱତନ୍ତ୍ର ଟିମ୍ କଟକସ୍ଥିତ ରେଳବାଇ ଏସ୍ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଜେରା ଓ ଖୋଳତାଡ଼ କରି ସାରିଛି।
ବର୍ତ୍ତମାନ ଏନ୍ଏଚ୍ଆର୍ସି ଏବଂ କ୍ରାଇମବ୍ରାଞ୍ଚ ପକ୍ଷରୁ ଦୁଇ ପାଖିଆ ଚାପ ବଢ଼ୁଥିବା ବେଳେ, ଆଜି ଏଡିଜି ଅରୁଣ ବୋଥ୍ରାଙ୍କ ଦ୍ୱାରା ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟ ଏହି ହାଇପ୍ରୋଫାଇଲ୍ ମାମଲାକୁ କେଉଁ ମୋଡ଼ ଦେଉଛି ଏବଂ ଏଡିଜି ଦୟାଲ୍ ଗଙ୍ଗୱାରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।