କଳାହାଣ୍ଡି: ମାତ୍ର ୨୫ ମିନିଟର କାଳବୈଶାଖୀ ଝଡ଼ କେସିଙ୍ଗା ବ୍ଲକର ତୁଣ୍ଡଲା ପଞ୍ଚାୟତରେ ଛାଡ଼ିଯାଇଛି ଧ୍ୱଂସର ଚିହ୍ନ। ଗତକାଲି ସନ୍ଧ୍ୟାରେ ହଠାତ୍ ଆସିଥିବା ଝଡ଼ ଓ ପ୍ରବଳ ପବନ ଯୋଗୁଁ ତୁଣ୍ଡଲା, ବନ୍ଧପଡ଼ା ଓ ଖଜୁରପଡ଼ା ଗ୍ରାମର ପ୍ରାୟ ୨୫ଟି ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି।
ଝଡ଼ର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଅନେକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିଲା। ଫଳରେ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ସେହିପରି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ଅମାଠ-ମଦନପୁର ରାମପୁର ଦେଇ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଯାଇଥିଲା।
ଖବର ପାଇ କେସିଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରିଥିଲେ। ଏହାପରେ ଗାଡ଼ିମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା।
ଆଜି ସକାଳୁ (ବୁଧବାର) ତୁଣ୍ଡଲା ସରପଞ୍ଚ ସରୋଜ ସେଠ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପାର୍ଥ ରଣା ଏବଂ ରାଜସ୍ୱ ନିରୀକ୍ଷକ ପ୍ରଭାବିତ ଗ୍ରାମଗୁଡ଼ିକ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଥିଲେ। ସେମାନେ ପୀଡ଼ିତ ପରିବାରମାନଙ୍କ ସମସ୍ୟା ବୁଝିବା ସହ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେଇଛନ୍ତି।
ଘର ହରାଇଥିବା କିଛି ପରିବାରଙ୍କୁ ପଞ୍ଚାୟତର ବିଭିନ୍ନ ସରକାରୀ ଭବନରେ ଅସ୍ଥାୟୀ ଭାବେ ରଖାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ କିଛି ପରିବାରଙ୍କୁ ପଲିଥିନ ମଧ୍ୟ ଯୋଗାଇ ଦିଆଯାଇଛି। କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଯିବ ଏବଂ ପ୍ରଭାବିତ ପରିବାରମାନଙ୍କୁ ଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।