ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଜି ୫୦ ଦିନରେ ପହଞ୍ଚିଛି. ମୁଖ୍ୟ ମହାରଣାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ନିର୍ମାଣକାରୀ ସେବକମାନେ ରଥ କାମକୁ ଦ୍ରୁତଗତିରେ ଆଗେଇ ନେଉଛନ୍ତି. ଏହି କ୍ରମରେ ରଥଖଳାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ଭୂଇଁ ଫ୍ରେମ୍ ଖୋଲାଯିବା ପରେ ମହାରଣା ସେବକମାନେ ଭୋଇ ସେବକଙ୍କ ସହଯୋଗରେ ଚାରି ନାହାକାରେ ପ୍ରଥମ ଭୂଇଁର ଚଉତା ବା ଛ’ କାଠି ସେଟିଂ (ସଂଯୋଗ) କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିଛନ୍ତି.
ଏହି କାର୍ଯ୍ୟ ପାଇଁ ମହାରଣା ସେବକଙ୍କୁ ୪ ଫୁଟ ଲମ୍ବର ୯ଟି ନଡ଼ିଆ ଗର (ଖଦି ଓରା) ଯୋଗାଇ ଦିଆଯାଇଥିଲା. ନଡ଼ିଆ ଗରର ଉଭୟ ପାର୍ଶ୍ୱକୁ ଚିତା ଓ ବାରିଶିରେ ହାଣି ସମତଳ କରାଯିବା ପରେ, ଭୋଇ ସେବକଙ୍କ ସହାୟତାରେ ତିନିରଥ ଦଣ୍ଡା ପକାଇ ତାର ବିନ୍ଧ କାପ କରାଯାଇ ସେଟିଂ କରାଯାଇଛି. ଏହି ନଡ଼ିଆ ଗର ଗୁଡ଼ିକ ୧୪ ନାହାକା ବୁଲିବା ପାଇଁ ବ୍ୟବହୃତ ହେବ. ଗତକାଲି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ସାଥୀ ଭୋଇ ସେବକମାନେ ମିଶି ଚାରି ନାହାକାର ଝାଙ୍କ ସଳଖା କାର୍ଯ୍ୟ ଶେଷ କରିଥିଲେ.
ଆସନ୍ତାକାଲି ତିନିରଥର ୧୪ ନାହାକା ବୁଲିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହାପରେ ପ୍ରଥମ ଭୂଇଁର ବାକି ଅଂଶ ସଂଯୋଗ କରାଯିବ. ଅନ୍ୟପଟେ, ମହାରଣା ଓ ଭୋଇ ସେବକଙ୍କ ମିଳିତ ସହଯୋଗରେ ତିନିରଥର ଦ୍ୱିତୀୟ ଭୂଇଁ ଫ୍ରେମ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି. ଚଳିତ ବର୍ଷ ସମୟ ଅଧିକ ଥିବାରୁ ରୂପକାର ସେବକମାନେ ନାଟ ଗୋଡ଼ ଓ ସିଂହାସନ କାମ କରିବା ସହ ଅତି ନିଖୁଣ ଭାବେ ଅଳଙ୍କାର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି. ସେହିପରି ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ଦ୍ଵିତୀୟ ଭୂଇଁ କଣ୍ଟା ନିର୍ମାଣ ଶେଷ କରିବା ସହ ଏବେ ପୋଟଳ କଣ୍ଟା ତିଆରି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି.