ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ପୂର୍ବରୁ ପୁରୀରେ ଆରମ୍ଭ ହୋଇଛି ବଡ଼ ଧରଣର ଉଚ୍ଛେଦ ଅଭିଯାନ। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଅଠରନଳା ନିକଟରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ବାଟଗାଁ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଚାରି ଲେନ୍ ରାସ୍ତା ସମ୍ପ୍ରସାରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି।
ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ଚାରି ପ୍ଲାଟୁନ୍ ପୋଲିସ ଫୋର୍ସ, ଅଗ୍ନିଶମ ବିଭାଗ ଓ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ରଥଯାତ୍ରା ବେଳେ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସୁବିଧା ଓ ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
୨୦୨୩ ମସିହାରୁ ଏହି ରାସ୍ତା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଆସୁଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୯୮ ପ୍ରତିଶତ ଜମି ଅଧିଗ୍ରହଣ ସରିଛି। ୨୦୧୫ ନବକଳେବର ସମୟରେ ପୁରୀ-ଭୁବନେଶ୍ୱର ଚାରି ଲେନ୍ ରାସ୍ତାର ଯୋଜନା ହୋଇଥିଲେ ମଧ୍ୟ ବାଟଗାଁ ଠାରୁ ହସ୍ପିଟାଲ ଛକ ଅଂଶର କାମ ଅଧରରେ ରହିଯାଇଥିଲା।
ଏହି ପ୍ରକଳ୍ପ ପାଇଁ ୧୧ଟି ମୌଜାର ପ୍ରାୟ ୬ ଏକର ଜମି ଅଧିଗ୍ରହଣ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୫ ଏକର ବେସରକାରୀ ଏବଂ ୧ ଏକର ସରକାରୀ ଜମି ଅଧିଗ୍ରହଣ କରାଯାଇଛି। ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେବା ପରେ ଅବଶିଷ୍ଟ ୧୧ଟି ପ୍ଲଟ୍ ଓ ୬ଟି ମନ୍ଦିରର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।
ପ୍ରଶାସନର ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅବଶିଷ୍ଟ ଜମି ଅଧିଗ୍ରହଣ ସରିବା ପରେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ। ରଥଯାତ୍ରା ପୂର୍ବରୁ ପୁରୀର ମୁଖ୍ୟ ପ୍ରବେଶ ପଥକୁ ପ୍ରଶସ୍ତ ଓ ଯାତାୟାତ ଉପଯୋଗୀ କରିବାକୁ ଏହି ଅଭିଯାନକୁ ନିର୍ଣ୍ଣାୟକ ପଦକ୍ଷେପ ଭାବେ ଦେଖାଯାଉଛି।