ପୁରୀ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତି ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ଓ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହି ଅବସରରେ ସେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଏକ ସୁନ୍ଦର ବାଲୁକା କଳା ସୃଷ୍ଟି କରି ନିଜ କୃତଜ୍ଞତା ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟ କରି ସୁଦର୍ଶନ କହିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତି କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗ ଓ ବିଶ୍ୱାସକୁ ସମ୍ମାନ ଦେଇଛି। ଏହା ସନାତନ ଧର୍ମର ପବିତ୍ରତାକୁ ମଧ୍ୟ ଅକ୍ଷୁଣ୍ଣ ରଖିଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ଗତବର୍ଷ ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମ ଦିଆଯାଇଥିଲା। ତେବେ ଏହି ନାମକରଣକୁ ନେଇ ଓଡ଼ିଶାରେ ବ୍ୟାପକ ବିବାଦ ସୃଷ୍ଟି ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀକୁ ହିଁ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ‘ଧାମ’ ଭାବେ ମାନ୍ୟତା ମିଳିଥିବାରୁ ଦୀଘା ମନ୍ଦିର ନାମରେ ଏହି ଶବ୍ଦ ବ୍ୟବହାରକୁ ଅନେକ ଭକ୍ତ, ସେବାୟତ ଓ ସାମାଜିକ ସଂଗଠନ ବିରୋଧ କରିଥିଲେ।
ସମ୍ପ୍ରତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ନିଷ୍ପତ୍ତି ନେଇଥିଲେ। ସେ ସ୍ପଷ୍ଟ କରିଥିଲେ ଯେ, ମନ୍ଦିର ପରିସରରେ ପୂଜାପାଠ ଓ ଧାର୍ମିକ କାର୍ଯ୍ୟକଳାପ ଜାରି ରହିବ, କିନ୍ତୁ ନାମରୁ ‘ଧାମ’ ଶବ୍ଦ ହଟାଯିବ। ଦୀଘା ମନ୍ଦିର ନାମକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ଏହି ନିଷ୍ପତ୍ତିକୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ସୁଦର୍ଶନ ପଟ୍ଟନାୟକଙ୍କ ଧନ୍ୟବାଦ ବାର୍ତ୍ତା ଏହି ପ୍ରସଙ୍ଗକୁ ଆହୁରି ଚର୍ଚ୍ଚାରେ ଆଣିଛି।