ଭୁବନେଶ୍ୱର: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ।
ଦିଲ୍ଲୀ ଗସ୍ତ ସମୟରେ ମୋହନ ମାଝୀଙ୍କର ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୁଧବାର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ହେବାକୁ ଥିବା NDA ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ସେ ଯୋଗଦେବେ। କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଆୟୋଜିତ ହେଉଥିବା ବେଳେ, ଗତ ୧୨ ବର୍ଷର ସଫଳତା ଓ ଆଗାମୀ ଦିନର କାର୍ଯ୍ୟଯୋଜନାକୁ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ଏହାଛଡ଼ା ଗୁରୁବାର ନୀତି ଆୟୋଗର ଗଭର୍ନିଂ କାଉନସିଲ ବୈଠକରେ ମଧ୍ୟ ଯୋଗଦେବେ ମୁଖ୍ୟମନ୍ତ୍ରୀ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ଦେଶର ବିକାଶ, ରାଜ୍ୟଗୁଡ଼ିକର ଅଗ୍ରଗତି ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହେବ।
ଏହି ସଭାରେ ମୋହନ ମାଝୀ ଓଡ଼ିଶାର ବିକାଶ ରୋଡମ୍ୟାପ, ଭିତ୍ତିଭୂମି ପ୍ରକଳ୍ପ, ଶିଳ୍ପ ନିବେଶ, କୃଷି ଓ ଜନକଲ୍ୟାଣ ଯୋଜନା ସମ୍ପର୍କରେ ରାଜ୍ୟର ଦୃଷ୍ଟିକୋଣ ଉପସ୍ଥାପନ କରିବେ। ନୀତି ଆୟୋଗ ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ବିଷୟରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ସେ ପ୍ରୟାସ କରିବେ। ଦୁଇ ଦିନିଆ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ଗୁରୁବାର ରାତିରେ ଭୁବନେଶ୍ୱର ଫେରିବେ ବୋଲି ସୂଚନା ମିଳିଛି।