ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ତୃଣମୂଳ କଂଗ୍ରେସ (TMC)ର ଅସ୍ତିତ୍ୱ ସଙ୍କଟରେ। ଦଳ ଭାଙ୍ଗିବା ଆଶଙ୍କା ମଧ୍ୟରେ ଏକ ବଡ଼ ରାଜନୈତିକ ଖବର ସାମ୍ନାକୁ ଆସିଛି। କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଏବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି। ସୋନିଆ, ଟିଏମସିକୁ କଂଗ୍ରେସ ସହ ବିଲୟ କରିବା ପାଇଁ ଅଫର୍ ଦେଇଥିବା ସୂତ୍ରରୁ ଜଣାପଡ଼ିଛି।
ସୋନିଆ ଗାନ୍ଧୀଙ୍କ ବଡ଼ ଅଫର୍
ସୂତ୍ର ଅନୁଯାୟୀ, ସୋନିଆ ଗାନ୍ଧୀ ନିଜେ ଫୋନ୍ କରି ମମତା ବାନାର୍ଜୀଙ୍କ ସହ ଏହି ସମ୍ପର୍କରେ ଆଲୋଚନା କରିଛନ୍ତି। ଯଦି ଟିଏମସିର କଂଗ୍ରେସରେ ବିଲୟ ହୁଏ, ତେବେ ମମତା ବାନାର୍ଜୀଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ତାଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସାଧାରଣ ସମ୍ପାଦକ ପଦ ମିଳିପାରେ। ବିଜେପିର ଆକ୍ରୋଶମୂଳକ ରାଜନୀତିରୁ ବଞ୍ଚିବା ପାଇଁ ଦଳର ବିଲୟ ଜରୁରୀ। ନଚେତ୍ ଆମ ଆଦମୀ ପାର୍ଟି (AAP) ଭଳି ଟିଏମସିକୁ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଜରିଆରେ ହଇରାଣ କରାଯାଇପାରେ। ଏହାସହ ଦଳ ଭିତରେ ମଧ୍ୟ ଅଭିଷେକଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି ବୋଲି ସୋନିଆ ଚେତାଇଛନ୍ତି ।
ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଦିଦି (ମମତା ବାନାର୍ଜୀ) କିଛି ଦିନ ସମୟ ମାଗିଥିବା ଜଣାପଡ଼ିଛି। ବଙ୍ଗଳା ନିର୍ବାଚନରେ ଶକ୍ତ ଧକ୍କା ଖାଇବା ପରେ ମମତାଙ୍କ ଦଳ ଭିତରେ ବଡ଼ ଧରଣର ବିଦ୍ରୋହ ଦେଖାଦେଇଛି। ଟିଏମସିର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ବିଧାୟକ ନିଜର ଏକ ପୃଥକ ଗୋଷ୍ଠୀ ତିଆରି କରିଛନ୍ତି। କେବଳ ସେତିକି ନୁହେଁ, ଦିଲ୍ଲୀରେ ମଧ୍ୟ ପ୍ରାୟ ୨୦ ଜଣ ସାଂସଦ ଦଳଠାରୁ ଦୂରତା ବଜାୟ ରଖି ଅଲଗା ହୋଇଯାଇଛନ୍ତି। ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଦଳ ଏବେ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇପଡ଼ିଛି।
ରାହୁଲ-ଅଭିଷେକଙ୍କ ମଧ୍ୟରେ ଦେଢ଼ ଘଣ୍ଟାର ଗୁପ୍ତ ବୈଠକ
ଏହି ସବୁ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ହୋଇଛି। ଦିଲ୍ଲୀର '୧୦ ଜନପଥ'ଠାରେ ଦୁଇ ଯୁବ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ପଶ୍ଚିମବଙ୍ଗର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ ଆଗାମୀ ରଣନୀତିକୁ ନେଇ ଏହି ବୈଠକ ବେଶ୍ ସକରାତ୍ମକ ଓ ଫଳପ୍ରଦ ରହିଥିବା କୁହାଯାଉଛି।
୧୧ ଜୁନ୍ରେ କଂଗ୍ରେସର ମହାବୈଠକ
ମମତାଙ୍କୁ ଦିଆଯାଇଥିବା ଏହି ମେଗା ଅଫର୍ ମଧ୍ୟରେ କଂଗ୍ରେସ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ସୂଚନା ଅନୁସାରେ, ଆସନ୍ତା ୧୧ ଜୁନ୍ରେ ଇନ୍ଦିରା ଭବନଠାରେ AICC ସାଧାରଣ ସମ୍ପାଦକ, ପ୍ରଭାରୀ ଏବଂ ସମସ୍ତ ରାଜ୍ୟର ସଭାପତିଙ୍କୁ ନେଇ ଏକ ବଡ଼ ମିଟିଂ ହେବ। ଏହି ବୈଠକର ଅଧ୍ୟକ୍ଷତା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କରିବେ। ଏହି ବୈଠକରେ ଟିଏମସିର ବିଲୟ ଏବଂ ଜାତୀୟ ରାଜନୀତିର ପରବର୍ତ୍ତୀ ରୂପରେଖ ଉପରେ ମୋହର ବାଜିପାରେ ବୋଲି ଚର୍ଚ୍ଚା ହେଉଛି।