ନୂଆଦିଲ୍ଲୀ: ଖାନ ଗ୍ଲୋବାଲ ଷ୍ଟଡିଜ କୋଚିଂ ଉପରେ ହମଲା ହେବା ଏବଂ ପୁଣି ଫାୟରିଂ କେସରେ ଖୋଦ୍ ଖାନ ସାରଙ୍କ ଉପରେ ବିହାର ପୋଲିସ ଏଫଆଇଆର ରୁଜୁ କରିଥିଲା । ଏପରିକି ପାଟନା ପୋଲିସ ଖାନ ସାରଙ୍କ ଗିରଫଦାରୀ ନେଇ ପ୍ରସ୍ତୁତି କରିଥିଲା । ହେଲେ ଗତକାଲି ପାଟନାର ସିଭିଲ କୋର୍ଟ ଖାନ ସାରଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇବା ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବନି ବୋଲି କହିଥିଲେ । ଏବେ ଖାନ ସାର ତାଙ୍କ ବିରୋଧରେ ଫାୟରିଂକୁ ନେଇ ରୁଜୁ ଏଫଆଇଆର ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ଉଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି କରି ବିହାରର ସମ୍ରାଟ ସରକାରଙ୍କୁ ଜବାବ ତଲବ କରିଛନ୍ତି ।
୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ
ମିଳିଥିବା ସୂଚନା ଅନୁଯାୟୀ, ଖାନ୍ ସାର୍ଙ୍କ ପକ୍ଷରୁ ଦାୟର ହୋଇଥିବା କ୍ରିମିନାଲ୍ ରିଟ୍ ଆବେଦନ ଉପରେ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ମାମଲାକୁ ବିଚାରକୁ ନେଇ କୋର୍ଟ ବିହାର ସରକାରଙ୍କୁ ଝଟକା ଦେଇଛନ୍ତି। ଆଗାମୀ ୪ ସପ୍ତାହ ମଧ୍ୟରେ ଏହି ପୂରା ବିବାଦ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ପଷ୍ଟୀକରଣ ରଖିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କ’ଣ ଥିଲା ପୂରା ବିବାଦ ?
କିଛି ଦିନ ପୂର୍ବରୁ ପାଟନା ସ୍ଥିତ ‘ଖାନ୍ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍’ କ୍ୟାମ୍ପସ ବାହାରେ ପ୍ରବଳ ଭଙ୍ଗାରୁଜା ଏବଂ ପଥରମାଡ଼ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆକାଶକୁ ଗୁଳି ଚାଳନା କରାଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓ ଆଧାରରେ ପୋଲିସ ଆର୍ମସ ଆକ୍ଟ (Arms Act) ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖାନ୍ ସାର୍ଙ୍କ ଦୁଇଜଣ ବେସରକାରୀ ସୁରକ୍ଷାକର୍ମୀଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରିଥିଲା। ସୁରକ୍ଷାକର୍ମୀମାନେ ଖାନ୍ ସାର୍ଙ୍କ ନିର୍ଦ୍ଦେଶରେ ହିଁ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା, ଯାହା ପରେ ପୋଲିସ ଏହି FIRରେ ଖାନ୍ ସାର୍ଙ୍କ ନାଁ ମଧ୍ୟ ସାମିଲ କରିଥିଲା।