ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଆସିଛି ଏକ ହୃଦୟବିଦାରକ ଖବର। ଗ୍ରୀଷ୍ମ ଛୁଟିର ଖୁସି ମଧ୍ୟରେ ସ୍ୱର୍ଣ୍ଣ ନଦୀରେ ଗାଧୋଇବାକୁ ଯାଇ ଚିରଦିନ ପାଇଁ ଆଖି ବୁଜିଦେଲେ ଦୁଇ କୁନି ସାଙ୍ଗ। ଏହି ଦୁଃଖଦ ଘଟଣା ପରେ ସମଗ୍ର ପନ୍ଦାଳ ଗାଁ ସହ ରାଧାକିଶୋରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୃତ ଦୁଇ ଶିଶୁ ହେଲେ ପନ୍ଦାଳ ଗାଁର ଆକାଶ ମାହାଳିକ (୧୨) ଓ କାର୍ତ୍ତିକ ବେହେରା (୧୨)। ବୁଧବାର ମଧ୍ୟାହ୍ନରେ ଆକାଶ, ତାଙ୍କ ବଡ଼ ଭାଇ ଦୀପକ ଓ ସାଙ୍ଗ କାର୍ତ୍ତିକ ମିଶି ଗାଁ ନିକଟସ୍ଥ ମନ୍ଦିର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ କିଛି ମୁହୂର୍ତ୍ତର ଅସାବଧାନତା ସବୁକିଛି ବଦଳାଇ ଦେଇଥିଲା।
ସୂଚନା ଅନୁସାରେ, ଗାଧୋଇବା ବେଳେ ଆକାଶ ହଠାତ୍ ଗଭୀର ପାଣିକୁ ଖସି ପଡ଼ିଥିଲେ ଏବଂ ବୁଡ଼ିଯିବାକୁ ଲାଗିଥିଲେ। ସାଙ୍ଗକୁ ବିପଦରେ ଦେଖି କାର୍ତ୍ତିକ ତୁରନ୍ତ ତାଙ୍କୁ ବଞ୍ଚାଇବାକୁ ନଦୀକୁ ଡେଇଁ ପଡ଼ିଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସେ ନିଜେ ମଧ୍ୟ ପ୍ରଖର ସ୍ରୋତରେ ଫସିଯାଇଥିଲେ। ଦୀପକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ।
ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ରେମୁଣା ମେଡିକାଲ କଲେଜକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏକାଠି ଖେଳୁଥିବା, ହସୁଥିବା ଓ ସ୍ୱପ୍ନ ଦେଖୁଥିବା ଦୁଇ ସାଙ୍ଗଙ୍କ ଏଭଳି ଅକାଳ ମୃତ୍ୟୁ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି। ନୀଳଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଦୁଇ କୁନି ଜୀବନର ଏହି ଦୁଃଖଦ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।