କେନ୍ଦ୍ରାପଡ଼ା: ଥାର୍ଡ ଡିଗ୍ରୀ ଅଭିଯୋଗକୁ ନେଇ ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ ବଡ଼ କାର୍ଯ୍ୟାନୁଷ୍ଠାନ। ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଅବକାରୀ କମିଶନର କଡ଼ା ପଦକ୍ଷେପ ନେଇଛନ୍ତି। ଘଟଣାରେ ସମ୍ପୃକ୍ତ ଅବକାରୀ SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକଙ୍କୁ ସସ୍ପେଣ୍ଡ କରାଯାଇଛି।
ସୂଚନା ଅନୁସାରେ, ଗତ ମେ’ ୨୮ ତାରିଖରେ ପଟ୍ଟାମୁଣ୍ଡାଇ ଏକ୍ସସାଇଜ ଷ୍ଟେସନ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଚଢ଼ାଉ କରାଯାଉଥିଲା। ଏହି ସମୟରେ ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସ ମୋବାଇଲରେ ଚଢ଼ାଉର ଭିଡିଓ ରେକର୍ଡ କରିଥିଲେ। ଏହା ଜାଣିବା ପରେ ଅବକାରୀ କର୍ମଚାରୀମାନେ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା।
ବିନୋଦଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଥାନାକୁ ନେବା ବେଳେ ଗାଡ଼ି ଭିତରେ ପ୍ରବଳ ମାଡ଼ ମରାଯାଇଥିଲା ଏବଂ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଇଥିଲା। ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିଲା ଏବଂ ଅବକାରୀ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଥିଲା।
ଅଭିଯୋଗର ତଦନ୍ତ ପରେ ଅବକାରୀ କମିଶନର SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇ ସେମାନଙ୍କୁ ସସ୍ପେଣ୍ଡ କରିଛନ୍ତି। ଏହା ପୂର୍ବରୁ ଛାୟାକାନ୍ତ ନାୟକଙ୍କୁ ଜିଲ୍ଲା ଅବକାରୀ ମୁଖ୍ୟାଳୟକୁ ଓ ପ୍ରଦୀପ ମଲ୍ଲିକଙ୍କୁ ଆଳି ଏକ୍ସସାଇଜ ଷ୍ଟେସନକୁ ବଦଳି କରାଯାଇଥିଲା।
ଏହି ଘଟଣା ପରେ ଅବକାରୀ ବିଭାଗରେ ହଲଚଲ ସୃଷ୍ଟି ହୋଇଥିବା ବେଳେ, ଥାର୍ଡ ଡିଗ୍ରୀ ଅଭିଯୋଗକୁ ନେଇ ସରକାରଙ୍କ ଜିରୋ ଟଲରେନ୍ସ ନୀତିର ଏହା ଏକ ବଡ଼ ସନ୍ଦେଶ ବୋଲି ଚର୍ଚ୍ଚା ହେଉଛି।