ଭୁବନେଶ୍ୱର: ଆଜି ଏକ ନିଶ୍ଚିତ ରେଳ ଦୁର୍ଘଟଣା ଟଳିଯାଇଛି । ଭୁବନେଶ୍ୱରସ୍ଥିତ ଝାରପଡ଼ା ଓଭର ବ୍ରିଜ୍ ନିକଟରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନାହିଁ । ଉଭୟ ଟ୍ରେନରେ କୌଣସି ଯାତ୍ରୀ ନ ଥିବା ପୂର୍ବତଟ ରେଳପଥ ବିଭାଗ ସ୍ପଷ୍ଟ କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗୋଟିଏ ଟ୍ରେନ ଭୁବନେଶ୍ଵରରୁ ମଞ୍ଚେଶ୍ୱର ଯାଉଥିଲା ଏବଂ ଅନ୍ୟଟି ମଞ୍ଚେଶ୍ୱରରୁ ଭୁବନେଶ୍ଵର ଆସୁଥିଲା। ଏହି ସମୟରେ ଝାରପଡ଼ା ବ୍ରିଜ୍ ନିକଟରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ହୋଇଯାଇଥିଲେ । କାରଣ ଉଭୟ ସମାନ ଟ୍ରାକରେ ବିପରୀତ ଦିଗରୁ ଆସୁଥିଲେ । ଭୁବନେଶ୍ୱରରୁ ମଞ୍ଚେଶ୍ୱର ଯାଉଥିବା ଟ୍ରେନଟି ସଫେଇ ପାଇଁ ଯାଉଥିଲା । ସେଥିରେ କେହି ଯାତ୍ରୀ ନ ଥିଲେ । ତେବେ ଉଭୟ ଟ୍ରେନର ଲୋକୋ ପାଇଲଟ୍ ସୁରକ୍ଷିତ ଅଛନ୍ତି । ଟ୍ରେନର ସମ୍ମୁଖ ଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।
ତେବେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନରେ ଯାଉଥିବାବେଳେ ସିଗନାଲ୍ କିପରି ମିଳିଥିଲା ତାହା ବଡ଼ ପ୍ରଶ୍ନ । ଯଦି ଉଭୟରେ ଯାତ୍ରୀ ଉପସ୍ଥିତ ଥାଆନ୍ତେ ତେବେ ଏକ ବଡ଼ ଦୁର୍ଘଟଣା ଘଟିପାରିଥାଆନ୍ତା ।