କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଘରୁ ଡାକିନେଇ ଜଣେ ଯୁବକଙ୍କୁ ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରାଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ମୃତକ ହେଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ କଜଳବନ୍ଧ ଗାଁର କୈଳାଶ ମଲ୍ଲିକ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କୈଳାଶଙ୍କ କିଛି ପରିଚିତ ସାଙ୍ଗ ତାଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ସେମାନେ ଗାଁଠାରୁ ପ୍ରାୟ ଅଧ କିଲୋମିଟର ଦୂର ରାଜନଗର ଥାନା ଅଞ୍ଚଳକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହେବା ପରେ କୈଳାଶଙ୍କ ପେଟରେ ଛୁରୀ ଭୁସି ଦେଇଥିବା ଅଭିଯୋଗ ହୋଇଛି।
ଆକ୍ରମଣ ପରେ କୈଳାଶ ରକ୍ତାକ୍ତ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ି ରହିଥିଲେ। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଦୁଇ ଜଣ ଯୁବକ ତାଙ୍କୁ ଦେଖି ଉଦ୍ଧାର କରି ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ହେଲେ ଯିବା ବାଟରେ କୈଳାଶଙ୍କ ମୃତ୍ୟୁ ଘଟିଥିଲା।
ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଥିବା ସନ୍ଦେହ କରାଯାଉଛି। ତେବେ କୈଳାଶଙ୍କୁ କିଏ ଓ କାହିଁକି ଡାକିନେଲା, ଏହା ପୂର୍ବ ପରିକଳ୍ପିତ ହତ୍ୟା ଥିଲା କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ବିଭିନ୍ନ ଦିଗରୁ ଛାନଭିନ୍ ଆରମ୍ଭ କରିଛି।