ନୂଆଦିଲ୍ଲୀ: ସାରା ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୃହିଣୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ଗୁରୁବାର ଏକ ମାମଲାର ଶୁଣାଣିରେ ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ପରିବାର ପରିଚାଳନା କରୁଥିବା ମହିଳାମାନେ "ରାଷ୍ଟ୍ର ନିର୍ମାତା" ମାନ୍ୟତା ପାଇବାକୁ ଯୋଗ୍ୟ। କେବଳ ଜଣେ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ସହିତ ସେମାନଙ୍କ କାମକୁ ସମାନ କରି ସେମାନଙ୍କ ଅବଦାନକୁ ହ୍ରାସ କରାଯାଇପାରିବ ନାହିଁ। ତେଣୁ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଗୃହିଣୀଙ୍କ ପରିବାରକୁ ମାସିକ ସର୍ବନିମ୍ନ ୩୦,୦୦୦ଟଙ୍କା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କାରୋଲ ଏବଂ ବିଚାରପତି ଏନ. କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ନୂତନ ନିୟମ ପ୍ରଣୟନ କରିଛନ୍ତି । ଦୁର୍ଘଟଣାରେ ଗୃହିଣୀଙ୍କର ମୃତ୍ୟୁ ହେଲେ ସେ କରିଥିବା ଯତ୍ନ ଏବଂ ଘରୋଇ କାର୍ଯ୍ୟର ମୂଲ୍ୟ ପ୍ରତି ମାସରେ ସର୍ବନିମ୍ନ ୩୦,୦୦୦ ଟଙ୍କା (ବାର୍ଷିକ ୩.୬ ଲକ୍ଷ ଟଙ୍କା) ମୂଲ୍ୟାଙ୍କନ କରାଯିବ ।
ପୂର୍ବରୁ ଦେଶର କୋର୍ଟ ଏବଂ ଦୁର୍ଘଟଣା ଟ୍ରିବ୍ୟୁନାଲଗୁଡ଼ିକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୃହିଣୀଙ୍କ ପାଇଁ କ୍ଷତିପୂରଣ ନିର୍ଣ୍ଣୟ କରିବା ପାଇଁ ଏକ "କାଳ୍ପନିକ ଆୟ" ଗ୍ରହଣ କରୁଥିଲେ। ଏହି ଗଣନା ରାଜ୍ୟର ସର୍ବନିମ୍ନ ମଜୁରୀ ଉପରେ ଆଧାରିତ ଥିଲା, ଯାହା ପ୍ରାୟତଃ ବହୁତ କମ୍ ଥିଲା। ଏହି ପୁରୁଣା ନୀତିକୁ ସୁପ୍ରିମକୋର୍ଟ ଆଜିର ଶୁଣାଣିରେ ଖାରଜ କରିଛନ୍ତି । ଘରୋଇ କାମ ଏବଂ ପରିବାର ଯତ୍ନର ପ୍ରକୃତ ଆର୍ଥିକ ଏବଂ ସାମାଜିକ ମୂଲ୍ୟ କେବଳ ଶ୍ରମିକଙ୍କ ମଜୁରୀ ସହିତ ମାପ କରାଯାଇପାରିବ ନାହିଁ । ଗୃହିଣୀମାନେ "ରାଷ୍ଟ୍ର ନିର୍ମାତା" ମାନ୍ୟତା ପାଇବାକୁ ଯୋଗ୍ୟ। କେବଳ ଜଣେ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ସହିତ ସେମାନଙ୍କ କାମକୁ ସମାନ କରି ସେମାନଙ୍କ ଅବଦାନକୁ ହ୍ରାସ କରାଯାଇପାରିବ ନାହିଁ। ଯଦିଓ ମହିଳାମାନେ ଦରମା ପାଉନାହାଁନ୍ତି ତଥାପି ମହିଳାଙ୍କ ଅବଦାନ ଅତୁଳନୀୟ, କହିଛନ୍ତି ଖଣ୍ଡପୀଠ ।
ସେହିପରି ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ଯେ ସଡ଼କ ଦୁର୍ଘଟଣାର ସହାୟତା ବା ଦାବି ସାଧାରଣତଃ ଗୋଟିଏ ବର୍ଷ ମଧ୍ୟରେ ସମାଧାନ ହେବା ଉଚିତ । ଯଦି ପୀଡିତମାନଙ୍କୁ ଦଶନ୍ଧି ଧରି ଅପେକ୍ଷା କରିବାକୁ ବାଧ୍ୟ କରାଯାଏ, ତେବେ ଆଇନର ଉଦ୍ଦେଶ୍ୟ ବିଫଳ ହୋଇଥାଏ । ସମସ୍ତ ରାଜ୍ୟର ମୁଖ୍ୟ ବିଚାରପତିଙ୍କୁ ଏପରି ମାମଲାଗୁଡ଼ିକୁ ବ୍ୟକ୍ତିଗତ ଭାବରେ ତଦାରଖ କରିବାକୁ ଏବଂ ସମୟାନୁସାରେ ସମାଧାନ ସୁନିଶ୍ଚିତ କରିବା ପାଇଁ ପ୍ରଶାସନିକ ନିର୍ଦ୍ଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖନୀୟ, ପଞ୍ଜାବର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି । ରେଶମା ନାମକ ଜଣେ ମହିଳାଙ୍କର ନଭେମ୍ବର ୨୦୦୧ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ଏବଂ ତିନି ପିଲା କ୍ଷତିପୂରଣ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯଦିଓ ଟ୍ରିବ୍ୟୁନାଲ୍ ୨୦୦୩ରେ ଏକ ରାୟ ଦେଇଥିଲେ, କିନ୍ତୁ ଏହି ମାମଲା ବର୍ଷ ବର୍ଷ ଧରି ଆଇନଗତ ଦ୍ୱନ୍ଦ୍ୱରେ ଫସି ରହିଥିଲା। ଦୁର୍ଘଟଣାର ସମ୍ପୂର୍ଣ୍ଣ ୨୩ ବର୍ଷ ପରେ ଶେଷରେ ଡିସେମ୍ବର ୨୦୨୪ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ତାଙ୍କର ରାୟ ଶୁଣାଇଲେ।