ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ତାପମାତ୍ରା ୩୬ ଡିଗ୍ରୀ ଆଖପାଖରେ ରହୁଥିଲେ ମଧ୍ୟ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁଁ ଲୋକମାନେ ୫୦ରୁ ୫୨ ଡିଗ୍ରୀ ସେଲସିୟସ୍ ଭଳି ଅନୁଭବ କରୁଛନ୍ତି। ଫଳରେ ସକାଳରୁ ହିଁ ଅସହ୍ୟ ଗରମ ଓ ଝାଳବୁହା ପରିସ୍ଥିତି ସୃଷ୍ଟି ହୋଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ତଥ୍ୟ ଅନୁସାରେ, ଗୁରୁବାର ସକାଳ ୧୧ଟା ୩୦ ସୁଦ୍ଧା ଚାନ୍ଦବାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା। ସେଠାରେ ତାପମାତ୍ରା ୩୬.୮ ଡିଗ୍ରୀ ରହିଥିବା ବେଳେ ଗୁଳୁଗୁଳି କାରଣରୁ ଏହା ୫୨ ଡିଗ୍ରୀ ଭଳି ଅନୁଭୂତ ହେଉଥିଲା। ବାଲେଶ୍ୱରରେ ୩୬.୨ ଡିଗ୍ରୀ ତାପମାତ୍ରା ସହ ୫୨ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୬.୪ ଡିଗ୍ରୀ ତାପମାତ୍ରା ସହ ୫୧ ଡିଗ୍ରୀ ଅନୁଭୂତ ହୋଇଥିଲା।
ସେହିପରି ଗୋପାଳପୁରରେ ୫୦ ଡିଗ୍ରୀ, ପୁରୀରେ ୪୮ ଡିଗ୍ରୀ ଓ ପାରାଦୀପରେ ୪୭ ଡିଗ୍ରୀ ଭଳି ଗରମ ଅନୁଭବ କରିଥିଲେ ଲୋକେ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ତାପମାତ୍ରା ଅପେକ୍ଷା ବାୟୁରେ ଅଧିକ ଆର୍ଦ୍ରତା ଥିବାରୁ ଶରୀର ଅଧିକ ଗରମ ଅନୁଭବ କରୁଛି।
ପାଣିପାଗ ବିଭାଗ ଲୋକଙ୍କୁ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଅତ୍ୟାବଶ୍ୟକ ନଥିଲେ ବାହାରକୁ ନଯିବା, ପ୍ରଚୁର ପାଣି ପିଇବା ଓ ସୂତା କପଡ଼ା ପିନ୍ଧିବାକୁ ପରାମର୍ଶ ଦେଇଛି।
ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାକୁ ଆହୁରି ୩ରୁ ୪ ଦିନ ସମୟ ଲାଗିପାରେ। ସେପର୍ଯ୍ୟନ୍ତ ଉପକୂଳ ଓଡ଼ିଶାବାସୀଙ୍କୁ ଏହି ଅସହ୍ୟ ଗରମ ଓ ଗୁଳୁଗୁଳି ସହିବାକୁ ପଡ଼ିବ।