କନ୍ଧମାଳ: କନ୍ଧମାଳ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅଞ୍ଚଳରେ ଏକ ବଡ଼ ମାଓ ବିରୋଧୀ ଅପରେସନ୍ କରାଯାଇଛି । ଏଥିରେ ଜିଲ୍ଲା ପୋଲିସକୁ ବଡ଼ ସଫଳତା ମିଳିଛି । ବିପୁଳ ପରିମାଣରେ ମାରଣାସ୍ତ୍ର ସହିତ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ।
ମାର୍ଚ୍ଚ ମାସ ପରେ ମାଓ ମୁକ୍ତ ହେବା ପରେ ମଧ୍ୟ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଙ୍ଗପଦର, ପୋଡ଼ମlହା, ପାଜିମାହା, ଟେଙ୍ଗେରି ଓ ବାଲିମାହା ଅ଼ଞ୍ଚଳରେ ୯ଟି ଏସଓଜି ଏବଂ ଗୋଟିଏ ଡିଭିଏଫ୍ ଟିମ୍ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି l ଗୋଟିଏ ଏସଏଲ୍ଆର୍ ରାଇଫଲ, ୨ଟି ଏସବିଜିଏଲ୍ ବନ୍ଧୁକ, ଗୋଟିଏ ଦେଶୀ ବନ୍ଧୁକ, ୩୦ଟି ଇଲେଟ୍ରିକ୍ ଡେଟୋନେଟର, ମାଓ ପୋଷାକ, ମେଡ଼ିସିନ୍ ଭଳି ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ଏସପି ସୁଚନା ଦେଇଛନ୍ତି । ଫୁଲବାଣୀ ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆରେ ଅନୁଷ୍ଠିତ ସମ୍ମିଳନୀରେ ଜବତ ମାଓ ସାମଗ୍ରୀ ପ୍ରଦର୍ଶିତ କରିବା ସହିତ ଏବେ ମଧ୍ୟ ଅପରେସନ ଜାରି ରହିଛି ବୋଲି କହିଛନ୍ତି ଏସପି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମାଓ ମୁକ୍ତ ଭାରତ ଗଠନ ଆହ୍ୱାନ କ୍ରମେ ଓଡ଼ିଶା ମାର୍ଚ୍ଚ ଶେଷ ସୁଦ୍ଧା ମାଓ ମୁକ୍ତ ହୋଇଥିଲା । ଓଡ଼ିଶା ପୋଲିସର ଆପ୍ରାଣ ଉଦ୍ୟମରେ ଏହି ସଫଳତା ମିଳିଥିଲା । ତଥାପି ଏବେବି କିଛି ସ୍ଥାନରେ ମାଓ ଡମ୍ପ ଠାବ କରାଯାଉଛି । ଯେଉଁଠାରେ ମାଓ ସାମଗ୍ରୀ ଗଚ୍ଛିତ ରଖାଯାଇଛି । ଯାହା ଉପରେ ପୋଲିସ ନିରନ୍ତର ସର୍ଚ୍ଚ ଅପରେସନ୍ ଜାରି ରଖିଛି ।