ବରଗଡ଼: ଲୋକଙ୍କ କଥା ଶୁଣୁ ନଥିଲେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କରାଯାଉ ନ ଥିଲା ସମାଧାନ । ଶେଷରେ ଅଧିକାରୀଙ୍କୁ ଅଭିନବ ଉପାୟରେ ଲୋକଙ୍କ ସମସ୍ୟା ଜଣାଇଛନ୍ତି ଲୋକେ । ଲୋକେ ବ୍ୟବହାର କରୁଥିବା ପଚା ପାଣିରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଛନ୍ତି ଛାତ୍ର କଂଗ୍ରେସର ସଦସ୍ୟମାନେ ।
ବରଗଡ଼ ସହର ସ୍ଥିତ ମା’ ଖଜୁର କଟିଏନ ବନ୍ଧ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିବାବେଳେ ପଡାବାସି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିଜ ଦୈନନ୍ଦିନ କାର୍ଯ୍ୟ ବନ୍ଧ ପାଣି ଉପରେ ନିର୍ଭର କରେ । କିନ୍ତୁ ପଡାବାସି ସେହି ଖରାପ ପାଣିରେ ଦୈନନ୍ଦିନ ଜୀବନ ବିତାଉ ଥିବା ବେଳେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ଆଜି ବରଗଡ଼ ଜିଲ୍ଲା ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି ଆଜାଦଙ୍କ ନେତୃତ୍ୱରେ ପଡ଼ାର ଯୁବକମାନେ ପୋଖରୀରୁ ଭାରରେ ପାଣି ଧରି ପୌର ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ । ଏହା ପରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସେହି ପାଣିରେ ହାତ ଧୋଇବାକୁ ବାଧ୍ୟ କରିଥିଲେ ଏବଂ ସମସ୍ୟା ଜଣାଇଥିଲେ । ଆସନ୍ତା ୧୬ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।
ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଇଓ ପ୍ରତିଶ୍ରୁତି ଦେଇଛନ୍ତି ।