କେନ୍ଦ୍ରାପଡ଼ା: ସ୍ପଷ୍ଟ ଦିବାଲୋକରେ ଲୁଟ । ବନ୍ଧୁକ ମୁନରେ ମହିଳାଙ୍କଠାରୁ ଲୁଟି ନେଲେ ସୁନା ଚେନ୍ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାହାକଣ୍ଡିଆ ପୋଲଠାରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ପ୍ରାୟ ଅଢେଇ ଭରିର ସୁନା ଚେନ୍ ଲୁଟି ନେଇ ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ l
ଅଭିଯୋଗ ମୁତାବକ, ଆଜି ଦିନ ପ୍ରାୟ ୧୦ଟା ବେଳେ ଦଳନ୍ତା ଗାଁର ସ୍ଵର୍ଣ୍ଣଲତା ବେଉରା ତାଙ୍କ ଛୋଟ ଝିଅକୁ ସ୍କୁଟିରେ ବସାଇ କେନ୍ଦ୍ରାପଡ଼ାରୁ ଦଳନ୍ତାକୁ ଘରକୁ ଫେରୁଥିଲେ । ବାହାକଣ୍ଡିଆ ପୋଲ ନିକଟରେ ଏକ କଳା ରଙ୍ଗର ଆପାଚି ମଟର ସାଇକେଲରେ ୩ ଯୁବକ ଆସି ତାଙ୍କ ଗାଡିକୁ ଅଟକାଇଥିଲେ l ସ୍ଵର୍ଣ୍ଣଲତା ଅଟକିବା ପରେ ଦୁର୍ବୃତ୍ତ ମାନେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ପଳାଇଥିଲେ l ଯିବାବେଳେ ସ୍ଵର୍ଣ୍ଣଲତାଙ୍କୁ ଧକ୍କା ମାରି ତଳେ ଫୋପାଡି ଦେଇଥିଲେ l ଏଥିରେ ସ୍ଵର୍ଣ୍ଣଲତା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ମହିଳା ଏବଂ ତାଙ୍କ ଝିଅ ତଳେ ପଡ଼ି ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ମହିଳାଙ୍କ ଚିତ୍କାର ଶୁଣି ଧାଇଁ ଆସି ଉଦ୍ଧାର କରିଥିଲେ । ସୁନା ଚେନର ଓଜନ ଅଢ଼େଇ ଭରି ହେବ ।
ଏ ନେଇ ସ୍ଵର୍ଣ୍ଣଲତାଙ୍କ ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଛି l ସେ ଅଭିଯୁକ୍ତମାନଙ୍କୁ ଚିହ୍ନି ନ ଥିବା କହିଛନ୍ତି । ତୁରନ୍ତ ସେମାନଙ୍କୁ ଧରିବାକୁ ଦାବି କରିଛନ୍ତି । ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗି ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।