ବରଗଡ଼: ରଖେ ହରି ତ ମାରେ କିଏ । ଏହି ଉକ୍ତିଟି ତୁଳସୀରାମ ବରିହାଙ୍କ ପାଇଁ ସତ ସାବ୍ୟସ୍ତ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ ପୁରେନା ଗ୍ରାମର ତୁଳସୀରାମଙ୍କୁ କିଛି ବ୍ୟକ୍ତି ମାରି କୂଅ ଭିତରେ ଫିଙ୍ଗି ଦେଇଥିଲେ । କିନ୍ତୁ ୪ ଦିନ ପରେ ତାଙ୍କୁ କୂଅ ଭିତରୁ ଜୀବନ ଉଦ୍ଧାର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବିଜେପୁର ସମଲାଇପଦର ନର୍ସରୀ ନିକଟସ୍ଥ ସମଲାଇପଦର ଗାଁର ବିହାରୀ ମଲ୍ଲିକ ଆଜି କାଠ ସଂଗ୍ରହ କରିବାକୁ ଯାଇଥିଲେ । ସେଠାରେ ଏକ ପରିତ୍ୟକ୍ତ କୂଅରୁ ଜଣଙ୍କ ସ୍ୱର ଶୁଣିଥିଲେ । ଜଣେ କେହି ଭଗବାନଙ୍କ ନାମ ଧରି ରକ୍ଷା କରିବାକୁ ଡାକୁଥିଲେ । ବିହାରୀ ମଲ୍ଲିକ ଡାକ ଶୁଣି କୂଅ ଭିତରେ ଜଣେ ବ୍ୟକ୍ତି ପଡ଼ିଥିବା ଦେଖିଥିଲେ ଏବଂ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଏହା ପରେ ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ଅଗ୍ନିଶମ ବାହିନୀ ପହଁଛି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତାଙ୍କୁ ପାଣି ପିଇବାକୁ ଦେବା ସହିତ କୂଅ ଭିତରୁ ସୁରକ୍ଷିତ ଉଦ୍ଧାର କରିଛି । ଏହା ପରେ ବ୍ୟକ୍ତି ଜଣକ ପଦ୍ମପୁର ଉପଖଣ୍ଡସ୍ଥ ପୁରେନା ଗ୍ରାମର ତୁଳସୀରାମ ବରିହା ବୋଲି ପରିଚୟ ଦେଇଥିଲେ ।
ତେବେ ତୁଳସୀରାମ ଯେଉଁ ବୟାନ ଦେଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ତାଙ୍କୁ କିଛି ଲୋକ ମାଡ଼ ମାରି ମରିଗଲା ଭାବି କୂଅରେ ଫିଙ୍ଗି ଦେଇଥିବା ସେ କହିଛନ୍ତି । ଗତ ରବିବାର ଦିନ ପୂର୍ବାହ୍ନ ପ୍ରାୟ ୩ଟା ସମୟରେ ସେ ତାଙ୍କର କିଛି ସାଙ୍ଗଙ୍କ ସହିତ ବାହାରକୁ ଯାଇଥିଲେ । ମାତ୍ର କୌଣସି କଥାକୁ ନେଇ ସେମାନେ ତୁଳସୀରାମଙ୍କୁ ମାଡ଼ ମାରିଥିଲେ । ଏହାପରେ କୂଅରେ ଫିଙ୍ଗି ଚାଲିଯାଇଥିଲେ । ମାତ୍ର ସେ ଚାରି ଦିନ ଅଖିଆ ଅପିଆ କୂଅ ଭିତରେ ଏକାକି ପଡ଼ି ରହି ଜୀବନ ସହିତ ସଂଗ୍ରାମ କରିଥିଲେ ।
ସେପଟେ ପଦ୍ମପୁର ପୋଲିସ ନିକଟରେ ତୁଳସୀରାମଙ୍କ ନିଖୋଜ ଅଭିଯୋଗ ପରିବାର ଲୋକେ କରିଥିଲେ । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଁଚି ତାଙ୍କୁ ପଚରା ଉଚରା କରିଛି । ଏହି ମାମଲାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆବଶ୍ୟକ ପଡ଼ିଲେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।