କୋଲକାତା: ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଚୟନ ମାମଲାରେ ମମତା ବାନାର୍ଜୀ କଲିକତା ହାଇକୋର୍ଟରୁ ନିରାଶ ହୋଇଛନ୍ତି । ବିଧାନସଭା ବାଚସ୍ପତି ନେଇଥିବା ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିବା ଆବେଦନକୁ ଉଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିଛନ୍ତି । ବାଚସ୍ପତିଙ୍କ ନିଷ୍ପତ୍ତିରେ କୌଣସି ପ୍ରକାର ରହିତାଦେଶ ଲଗାଇବାକୁ ଅଦାଲତ ମନା କରିଛନ୍ତି । ଫଳରେ ରିତବ୍ରତ ବାନାର୍ଜୀ ବିରୋଧୀ ଦଳ ନେତା ରହିବେ ।
ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ତୃଣମୂଳ କଂଗ୍ରେସରେ ଅନ୍ତଃ କନ୍ଦଳ ବଢ଼ିଯାଇଛି । ମମତା ବାନାର୍ଜୀ ସୋବନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା କରିଥିଲେ । କିନ୍ତୁ କିଛି ବିଧାୟକ ମୁଖିଆ ମମତାଙ୍କ ନିର୍ଦ୍ଦେଶର ବ୍ୟତିକ୍ରମ କରି ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଚୟନ କରିଥିଲେ । ଏ ନେଇ ବିଧାୟକମାନେ ବାଚସ୍ପତି ଇଥିନ୍ଦ୍ରନାଥ ବୋଷଙ୍କୁ ପ୍ରସ୍ତାବ ଦେଇଥିଲେ । ବାଚସ୍ପତି ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥିଲେ ଏବଂ ରିତବ୍ରତଙ୍କୁ ବିରୋଧୀ ଦଳ ନେତାର ମାନ୍ୟତା ଦେଇଥିଲେ ।
କିନ୍ତୁ ମମତା ବାନାର୍ଜୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି । ବାଚସ୍ପତି ନିଜ ଇଚ୍ଛାରେ ବିରୋଧୀ ଦଳ ନେତା ନିଯୁକ୍ତ କରିପାରିବେ ନାହିଁ ବୋଲି ଟିଏମସି କହିଛି । ଏ ନେଇ ଆଜି ହୋଇଥିବା ଶୁଣାଣିରେ ହାଇକୋର୍ଟ ଟିଏମସିର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି । ମାତ୍ର ହାଇକୋର୍ଟ କୌଣସି ରହିତାଦେଶ ଦେଇ ନାହାଁନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ କରିବାକୁ କୋର୍ଟ ଧାର୍ଯ୍ୟ କରିଛନ୍ତି ।