ଭୁବନେଶ୍ୱର: ମୋହନ ଚରଣ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ପୁଣିଥରେ ଦୋହରାଇଛନ୍ତି। ୨୦୨୪ ଜୁନ୍ ୧୨ରେ ଶପଥ ଗ୍ରହଣ କରିଥିବା ମୋହନ ମାଝୀ କହିଛନ୍ତି, ଗତ ଦୁଇ ବର୍ଷର ଯାତ୍ରା ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଅଟୁଟ ବିଶ୍ୱାସ ଯୋଗୁଁ ସମ୍ଭବ ହୋଇଛି।
ଦୁଇ ବର୍ଷର ସଫଳତାକୁ ନେଇ ଆତ୍ମବିଶ୍ୱାସୀ ଦେଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ଲୋକଙ୍କ ଭରସା। ନିଜକୁ ସେ କେବଳ ଜଣେ ମୁଖ୍ୟମନ୍ତ୍ରୀ ନୁହେଁ, ବରଂ ଓଡ଼ିଶା ମାଟିର ପୁଅ ବୋଲି ବର୍ଣ୍ଣନା କରିଛନ୍ତି। ଶିକ୍ଷକରୁ ସରପଞ୍ଚ, ବିଧାୟକ ଓ ପରେ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କ ରାଜନୈତିକ ଯାତ୍ରାରେ ଜନସେବା ସବୁବେଳେ ପ୍ରାଥମିକତା ରହିଥିବା ସେ କହିଛନ୍ତି।
ଗତ ଦୁଇ ବର୍ଷ ମଧ୍ୟରେ କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ, ଭିତ୍ତିଭୂମି ଓ ନିଯୁକ୍ତି କ୍ଷେତ୍ରରେ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ଦାବି କରିଛନ୍ତି ମୋହନ ମାଝୀ। ତାଙ୍କ କହିବା ଅନୁସାରେ, ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କେବଳ ସରକାରଙ୍କ ସ୍ୱପ୍ନ ନୁହେଁ, ବରଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆକାଂକ୍ଷା।
ସରକାର ତୃତୀୟ ବର୍ଷରେ ପଦାର୍ପଣ କରୁଥିବା ବେଳେ ବିକାଶ, ସୁଶାସନ ଓ ଜନକଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। "ମୋ ଜୀବନର ପ୍ରତିଟି ମୁହୂର୍ତ୍ତ ଓଡ଼ିଶାର ସେବା ପାଇଁ ସମର୍ପିତ," ବୋଲି କହି ରାଜ୍ୟବାସୀଙ୍କ ସହଯୋଗ ଓ ସମର୍ଥନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।